ଲାଞ୍ଚ ନେବା ବେଳେ CBI ହାତରେ ଧରାପଡ଼ିଲେ ଜିଏସ୍‌ଟି ଓ ସେଣ୍ଟ୍ରାଲ ଏକ୍ସାଇଜ୍‌ର ୩ ଅଧିକାରୀ

ଭୁବନେଶ୍ୱର: ଲାଞ୍ଚ ନେବା ବେଳେ ଜିଏସ୍‌ଟି ଓ ସେଣ୍ଟ୍ରାଲ ଏକ୍ସାଇଜ୍‌ର ୩ ଜଣ ଅଧିକାରୀ ସିବିଆଇ ହାତରେ ଧରାପଡ଼ିଛନ୍ତି। ରାଜଧାନୀ ଭୁବନେଶ୍ୱରରୁ ଏହି ୩ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ଇନ୍ସପେକ୍ଟର ରାଙ୍କ୍‌ର ଏହି ୩ ଅଧିକାରୀ ହେଲେ- ଆର୍ତ୍ତଭଞ୍ଜନ କର, ପ୍ରଦୀପ କୁମାର ଆଚାର୍ଯ୍ୟ ଏବଂ ଏନ୍.ଏନ୍ ସାହୁ।

ମିଳିଥିବା ସୂଚନା ଅନୁସାରେ, ଜିଏସ୍‌ଟି ଠକିବା ପାଇଁ ଡିଲ୍ ଚାଲିଥିବା ବେଳେ ସିବିଆଇ ଏମାନଙ୍କୁ ଗିରଫ କରିଛି। ଏହି ଠକେଇରେ ଜିଏସ୍‌ଟିର ବରିଷ୍ଠ ଅଧିକାରୀ ଓ କେନ୍ଦ୍ରୀୟ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ସହଯୋଗ କରୁଥିଲେ।

ଜଟଣୀ ସ୍ଥିତ ଏକ ବିଶ୍ୱବିଦ୍ୟାଳୟର ଜିଏସ୍‌ଟି ମାମଲାର ରଫାଦଫା କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଏହି ୩ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ସିବିଆଇର ୬ ଜଣିଆ ଟିମ୍ ଏମାନଙ୍କୁ ପଚରାଉଚରା ଚଳାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ୱେସ୍କୋର ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ବଲାଙ୍ଗିର ସର୍କିଟ ହାଉସ ନିକଟରେ ଥିବା ବିଭୂତିଙ୍କ  ଘର ଏବଂ ପ୍ୟାଲେସ୍‌ଲାଇନ ଠାରେ ଥିବା ୱେସ୍କୋ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଛି। ବଲାଙ୍ଗିର,ସୋନପୁର,ବରଗଡ ଏବଂ ସମ୍ୱଲପୁର ଭିଜିଲାନ୍ସ ବିଭାଗ ଏହି ରେଡ୍‌ରେ ସାମିଲ ହୋଇଛନ୍ତି। ବିଭୂତିଙ୍କ ଘରୁ ନଗଦ ୧୬ ଲକ୍ଷ ୩୨ ହଜାର ୨୫୦ ଟଙ୍କା, ସୁନା ବିସ୍କୁଟ ଓ ସୁନା ଅଳଙ୍କାର ଜବତ ହୋଇଥିବା ସୂଚନା ମିଳିଛି। 

ତେବେ ଘରୁ ଜବତ ହୋଇଥିବା ନଗଦ ଟଙ୍କାରୁ ୧୪ ଲକ୍ଷ ଟଙ୍କା ତାଙ୍କ ଶାଳୀର ବୋଲି ବିଭୂତି ସଫେଇ ଦେଇଛନ୍ତି।

You might also like