ରାଜ୍ୟରେ କାହିଁକି ବଢ଼ୁଛି ଦୁର୍ଘଟଣା? ଗାଡ଼ି ଚାଳକଙ୍କର ଭୁଲ ନାଁ ରାସ୍ତାର ଭୁଲ !

ସହରାଞ୍ଚଳରେ ବି ରହିଛି ବିପଦଜ୍ଜନକ ସ୍ଥାନ

ଭୁବନେଶ୍ୱର: ତତ୍ପପାଣି ଘାଟିକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ସମସ୍ତଙ୍କ ମନେଥିବ ଗତବର୍ଷ ଠିକ୍ ଏହି ଜାନୁୟାରୀ ମାସ ୨୯ ତାରିଖର ଭୟଙ୍କର ସଡ଼କ ଦୁର୍ଘଟଣାର କଥା। ଏହି ଘାଟିର ପାଳୁଖୋଳା ନିକଟ ବ୍ରିଜ୍ ତଳକୁ ଏକ ଯାତ୍ରୀବାହୀ ବସ୍ ଓଲଟି ୭ରୁ ଅଧିକ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା। ଆହତ ହୋଇଥିଲେ ପ୍ରାୟ ୫୦ ଜଣରୁ ଅଧିକ ଲୋକ। କେବଳ ଏହି ଗୋଟିଏ ଦୁର୍ଘଟଣା ନୁହେଁ, କେବେ ପିକନିକ୍ ଗାଡ଼ି ଓଲଟିଛି ତ ଆଉ କେବେ ଟ୍ରକ୍, କାର୍ ଏମିତି ଅନେକ ଯାନବାହନ ଦୁର୍ଘଟଣାର ଶିକାର ହୋଇଛି। ତେଣୁ ଏଠାରେ ସେଥିପାଇଁ ଘାଟିକୁ ବ୍ଲାକସ୍ପଟ୍ ତଥା ଦୁର୍ଘଟଣା ପ୍ରବଣ ସ୍ଥାନ ଭାବେ ଚିହ୍ନଟ ବି କରାଯାଇଛି।

ତଥାପି ପ୍ରତିବର୍ଷ ଘଟିଚାଲିଛି ଦୁର୍ଘଟଣା। ଆଉ ସାପ ଭଳି ମୋଡ଼ିମାଡ଼ି ହୋଇ ଲମ୍ବିଯାଇଥିବା ରାସ୍ତା ହେଉଛି ଫୁଲବାଣୀ ଭେଟଖୋଲ ଘାଟି। ରାସ୍ତା ଅବସ୍ଥା ବି ଠିକ୍ ନାହିଁ। ଏହାସତ୍ତ୍ୱେ ଗାଡ଼ି ଚାଳକଙ୍କୁ ସତର୍କତା ପାଇଁ ନା କୌଣସି ଫଳକ ମରାଯାଇଛି ନା କୌଣସି ସଙ୍କେତ ରହିଛି। ଫଳରେ ମନରେ ଭୟ ଆଉ ଶଙ୍କା ଭିତରେ ଯାନବାହନ ଚଳାଇ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି ଚାଳକ।

କେବଳ ଉପାନ୍ତ ନୁହେଁ, ସହରାଞ୍ଚଳରେ ବି ରହିଛି ବିପଦଜ୍ଜନକ ସ୍ଥାନ।  ଯେଉଁଠି ପ୍ରତି ମୂହୁର୍ତ୍ତରେ ରହୁଛି, ଦୁର୍ଘଟଣାର ଆଶଙ୍କା। ସମ୍ବଲପୁର ମହାନଦୀ ରିଂରୋଡରୁ ସହର ଭିତରକୁ ଆସିଥିବା ରାସ୍ତା ବି ବଡ଼ ବିପଦଜନକ ଅବସ୍ଥାରେ ରହିଛି। ଗୋଟିଏ ପାର୍ଶ୍ୱ ରେଡିଓ ଷ୍ଟେସନ ସମ୍ମୁଖ ଦେଇ ସହର ଭିତରକୁ ଯାଇଥିବାବେଳେ ଅନ୍ୟଟି କଚେରୀ ଆଡକୁ ଯାଇଛି। ସେହି ରାସ୍ତା ଦେଇ ଯେଉଁମାନେ କଚେରୀ କିମ୍ବା ଧନୁପାଲି ଅଭିମୁଖେ ଯାଉଛନ୍ତି ସେମାନେ ବିପରୀତ ଦିଗରୁ ଆସୁଥିବା ଯାନବାହନ ସହ ମୁହାଁମୁହିଁ ହେଉଛନ୍ତି । ଏଭଳି ସ୍ଥିତିରେ ଫ୍ଲାଏ ଓଭରବ୍ରିଜ୍ କାର୍ଯ୍ୟକ୍ଷମ ହେଲେ ଏଠାରେ ଦୁର୍ଘଟଣା ବଢ଼ିବାର ଯଥେଷ୍ଟ ଥିବା ସ୍ଥାନୀୟ ଲୋକ କହୁଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ, ୨୦୧୬ରୁ ୧୮ ମଧ୍ୟରେ ରାଜ୍ୟବ୍ୟାପୀ ୪୩୫ଟି ବ୍ଲାକସ୍ପଟ୍ ଚିହ୍ନଟ କରାଯାଇଛି। ତାମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ ୩୧ଟି ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ୨୩ଟି, କଟକରେ ୧୩ ଏବଂ ଗଞ୍ଜାମ ଜିଲ୍ଲାରେ ୯ଟି ବ୍ଲାକସ୍ପଟ ଚିହ୍ନଟ ହୋଇଛି। କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ୨୦୧୯ରେ ସଂସଦରେ ତଥ୍ୟ ରଖି କହିଥିଲେ ଯେ, ଦେଶରେ ମୋଟ ୭୮୯ ବ୍ଲାକସ୍ପଟ୍ ଚିହ୍ନଟ କରାଯାଇଥିବାବେଳେ ଓଡ଼ିଶା ଦେଇ ଯାଇଥିବା ଏନ୍ଏଚରେ ରହିଛି ୧୨ଟି।

ତେବେ ପ୍ରତିବର୍ଷ ବ୍ଲାକସ୍ପଟ ଗୁଡ଼ିକ ଚିହ୍ନଟ ସହ ସଂଶୋଧନ ବି କରାଯାଉଛି। ଏହି ପ୍ରକ୍ରିୟା ଜାରି ରହିବ ଏବଂ ଦୁର୍ଘଟଣାପ୍ରବଣ ସ୍ଥାନରେ ଆହୁରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପରିବହନ କମିଶନର।

ଫୁଲବାଣୀରୁ ତ୍ରିନାଥ ସାହୁ, ସମ୍ବଲପୁରରୁ ସଞ୍ଜୟ କୁମାର ଜେନା ଏବଂ ଭୁବନେଶ୍ୱରରୁ ଅତୁଲ୍ୟ ବାଉତଙ୍କ ରିପୋର୍ଟ

You might also like