ମୃତ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ମୃତ୍ୟୁ ଘଟଣାରେ ଧ୍ରୁବରାଜଙ୍କୁ ପଚରାଉଚରା

ଝାରସୁଗୁଡ଼ା: ସମ୍ବଲପୁରୀ ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ କୁହାଯାଉଥିବା ଧ୍ରୁବରାଜ ସୁନା ଓରଫ ୟୁଗ୍‌ଙ୍କୁ ଝାରସୁଗୁଡ଼ା ଥାନାରେ ପଚରାଉଚରା ଚାଲିଛି।

ପୋକ୍‌ସୋ ଆଇନ୍‌ ଅନୁଯାୟୀ ଧ୍ରୁବରାଜଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗତକାଲି ବଲାଙ୍ଗିର ବେଲପଡ଼ା ପୁଲିସ୍‌ ଧ୍ରୁବରାଜଙ୍କୁ ଅଟକ ରଖିଥିଲା।

ପୂର୍ବରୁ ସିମ୍‌ରନ୍‌ଙ୍କୁ ପ୍ରେମ ବିବାହ କରିଥିବା ସେ ସ୍ୱୀକାର କରିଛନ୍ତି। ମନୋମାଳିନ୍ୟ ଯୋଗୁ କିଛି ଦିନ ହେବ ସିମ୍‌ରନ୍  ତାଙ୍କ ଠାରୁ ଅଲଗା ରହୁଥିବା ସେ କହିଥିଲେ। ତେବେ ସିମ୍‌ରନ୍‌ଙ୍କୁ କୌଣସି ନିର୍ଯାତନା ଦେବା  ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

ସିମ୍‌ରନ୍‌ଙ୍କୁ ତାଙ୍କ ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ସିମ୍‌ରନ୍‌ଙ୍କ ମାଆ ଅଭିଯୋଗ କରିଥିଲେ।

ଗୁରୁବାର ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତ ବେଳେ ସମ୍ପୃକ୍ତ ଯୁବତୀଙ୍କ ନାଁ ସିମ୍‌ରନ୍‌ ଓ ସେ ଜଣେ ଆଲ୍‌ବମ୍‌ ଅଭିନେତ୍ରୀ ବୋଲି ଜଣାପଡ଼ିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ସିମ୍‌ରନ୍‌ ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଏକ ଭଏସ୍ ମେସେଜ୍ ପଠାଇଥିବା କୁହାଯାଉଛି। ଏହି ଅଡିଓଟି ଏବେ ଭାଇରାଲ୍ ହୋଇଛି। କିନ୍ତୁ ସେ ଅଡିଓ ଯେ ସିମ୍‌ରନ୍‌ଙ୍କର ତାହା ସ୍ପଷ୍ଟ ହୋଇନି କିମ୍ବା ପୁଲିସ୍ କିଛି କହିନି।

ଏହି ଅଡିଓରେ କୁହାଯାଉଛି- ନିଜକୁ ଛାଡ଼ି, ପରିବାରକୁ ଛାଡ଼ି ଦୂରକୁ ଚାଲି ଯାଉଛି। ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ମଧ୍ୟ ଏହି ଭଏସ୍ ମେସେଜରେ କହିଛନ୍ତି। ମୁଁ ନାଟକ କରୁନି। ତୁମେ ଭାବନି ନାଟକ ବୋଲି। ମୁଁ ଭାଙ୍ଗି ଯାଇଛି। ଆଉ ସହି ହେଉ ନାହିଁ। ପୂର୍ବରୁ କହିଥିଲେ, ମୁଁ ସବୁ ଛାଡ଼ିକି ପଳାଇ ଯାଇଥାନ୍ତି। ବିଶ୍ୱାସ କର ମୁଁ ତୁମର ନାଁ ୟୁଗ ଲେଖିଛି। ଆମ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥାନ୍ତ। ମୁଁ ଯାଉଛି ନିଜ ପରିବାର ଓ ତୁମଠୁ ଦୂରକୁ।”

ପଶ୍ଚିମ ଓଡ଼ିଶାରେ ସିମରନ୍‌ ଜଣେ ଲୋକପ୍ରିୟ ଆଲ୍‌ବମ୍‌ ଅଭିନେତ୍ରୀ। ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍‌ ‘ସେଲ୍ଫି ବେବୋ’ ଜରିଆରେ ପଶ୍ଚିମ ଓଡ଼ିଶାର ଘରେଘରେ ପରିଚିତ ହୋଇ ପାରିଥିଲେ। ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍‌ ହେଉଛି ‘ରିକ୍ସାବାଲା ରିଟର୍ଣ୍ଣ’।

You might also like