ପରମ୍ପରା ଆଳରେ ଚାଲିଛି ଜୁଆଖେଳ, ବଢ଼ୁଛି ଅପରାଧ
ଜୁଆ ଖେଳି ହାରିବା ପରେ ଘରେ, ବାହାରେ ସବୁଠି ଆରମ୍ଭ ହୁଏ ଅପରାଧ
ବ୍ରହ୍ମପୁର (ଜଗନ୍ନାଥ ସାହୁ): କୁମାର ପୂର୍ଣ୍ଣିମା ଅବସରରେ ପରମ୍ପରା ନାଁରେ ତାସ୍ ଖେଳ ଓ ଜୁଆ ଆଡ୍ଡାର ଦୁଇଟି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। କୁମାର ପୂର୍ଣ୍ଣିମା ଲାଗି ଗାଁରୁ ସହର ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଘରେ ଘରେ ପରିବାର ଲୋକଙ୍କ ମଧ୍ୟରେ ଚାଲିଛି ତାସ ଖେଳର ଆସର। ତା ସାଙ୍ଗକୁ ପିଠା ପଣା, ନାଚ ଗୀତ ।
ଏ ହେଉଛି ଗଞ୍ଜାମ ଜିଲ୍ଲାର ପରମ୍ପରାର ଖେଳ। ଦିନ ସାରା ତାସ୍ ଖେଳିବା ସହ ପିଠାପଣା ଖାଇ ଖୁବ୍ ମଜା ଉଠାନ୍ତି ପରିବାର ଲୋକେ। ଖାଲି ସେତିକି ନୁହେଁ, ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ନିଜ ସମ୍ପର୍କୀୟ ଲୋକେ ଗାଁ ମୁହାଁ ହୋଇଥାନ୍ତି। ସମସ୍ତେ ଏକାଠି ବସି ଖାଦ୍ୟ ଖାଇବା ସହ ନାଚଗୀତରେ ମସଗୁଲ ହୁଅନ୍ତି।
ଆଉ ଏ ହେଉଛି ପରମ୍ପରା ଆଳରେ ଜୁଆଖେଳି ଗିରଫ ହେବାର ଆଉ ଏକ ଚିତ୍ର ଗଞ୍ଜାମ ଜିଲ୍ଲାର ପ୍ରାୟ ପ୍ରତ୍ୟେକ ଥାନା ଅଞ୍ଚଳର ଜୁଆ ଆଡ୍ଡାରୁ ଅଭିଯୁକ୍ତଙ୍କୁ ଗିରଫ କରୁଛି ପୁଲିସ। କିଏ ମୁହଁରେ ରୁମାଲ ଭିଡ଼ି ଠିଆ ହୋଇଛି ତ, କିଏ ମୁହଁ ଲୁଚାଉଛି। ଗୋଟିଏ ରାତିରେ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ୪୬ଟି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଧରିଛି ୨୭୦ରୁ ଅଧିକ ଜଣ ଜୁଆଡିଙ୍କୁ। ତାସହ ସେମାନଙ୍କ ଠାରୁ ୯ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।
ଜୁଆ ଖେଳି ହାରିବା ପରେ ଘରେ, ବାହାରେ ସବୁଠି ଆରମ୍ଭ ହୁଏ ଅପରାଧ। ତେଣୁ ପୁଲିସ ସତର୍କ ଦୃଷ୍ଟି ରଖି ରାତି ତମାମ ଚଢ଼ଉ କରିଥିଲା ବିଭିନ୍ନ ଜୁଆ ଆଡ୍ଡା ଉପରେ।