ବିବାହ ଭୋଜି ଚାଲିଥିବା ବେଳେ ଲୋକଙ୍କ ଉପରକୁ ମାଡ଼ିଗଲା କାର୍

କଟକ: ବିବାହ ଭୋଜି ଚାଲିଥିବା ବେଳେ ଲୋକଙ୍କ ଉପରକୁ ମାଡ଼ିଗଲା କାର୍। କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଇମାମ ନଗରରେ ଏହି ଅଭାବନୀୟ ଘଟିଛି। ଏଥିରେ ପାଖାପାଖି ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ କିଛି ଶିଶୁ ଅଛନ୍ତି। ଆହତଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି ଇମାମ ନଗର ଅଞ୍ଚଳରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। ଫଳରେ ଲୋକମାନଙ୍କ ଯା’ଆସ ଲାଗି ରହିଥିଲା। ଏହି ସମୟରେ ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଜଣେ ଅତିଥିଙ୍କର କାର୍‌ ଭାରସାମ୍ୟ ହରାଇ ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା। ରାତି ପ୍ରାୟ ସାଢ଼େ ୯ଟା ସମୟରେ ଏହି ଅଘଟଣ ଘଟିଛି।

କୁହାଯାଉଛି ଯେ, ଡ୍ରାଇଭର ଜଣକ ମଦ୍ୟପାନ କରିଥିଲେ। ଫଳରେ ବ୍ରେକ୍‌ ବଦଳରେ ଏକ୍ସିଲେଟର ଚାପି ଦେବା ଯୋଗୁ କାର୍‌ଟି ଭାରସାମ୍ୟ ହରାଇ ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା। ଘଟଣା ପରେ ସେଠାରେ ଉପସ୍ଥିତ ଲୋକ ଡ୍ରାଇଭରଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଥିଲେ। ଘଟଣାସ୍ଥଳରେ ଜଗତପୁର ପୋଲିସ୍ ପହଞ୍ଚି‌ ତଦନ୍ତ ଆରମ୍ଭ କରିଛି।

You might also like