ନବଜାତକକୁ ଧରି ଘରକୁ ଫେରିବା ବେଳେ ଦୁର୍ଘଟଣା: ପ୍ରସୂତିଙ୍କ ସମେତ ୩ ମୃତ

ସୋନପୁର: ସୋନପୁର-ସମ୍ବଲପୁର ରାସ୍ତାର ଏସ୍-ପତ୍ରାପାଲି ନିକଟରେ ଗତ ସନ୍ଧ୍ୟାରେ ବାଇକ-କାର ମୁହାଁମୁହିଁ ଧକ୍କା ଘଟି ଜଣେ ପ୍ରସୂତିଙ୍କ ସହ ୩ ଜଣଙ୍କର ମୃତ୍ୟୁ ଘଟିଛି।  ମୃତକଙ୍କ ମଧ୍ୟରେ ଥିବା ୨ବାଇକ୍ ଆରୋହୀ ହେଲେ  ଭତ୍ରା ଅଞ୍ଚଳର ପବନ ବାଗ ଏବଂ ନରେଶ ବାଗ। କାରରେ ଥିବା ମୃତ ପ୍ରସୂତି ଜଣକ ହେଲେ ସୁରୁ ଭଏନା ଓ ଘର ସୋନପୁର ନନ୍ଦନମାଲ ଗାଁରେ ।

ସୁରୁ ୪ଦିନ ତଳେ ସମ୍ବଲପୁରର ଏକ ଘରୋଇ ନର୍ସିଂ ହୋମ୍‌ରେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଗତ ସନ୍ଧ୍ୟାରେ ନବଜାତକ ସହ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରୁଥିଲେ।  ବାଟରେ ପତ୍ରାପାଲି ଛକରେ ତାଙ୍କ କାର ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା ।

ସୁରୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ମୃତ ମହିଳାଙ୍କ ନବଜାତ ଶିଶୁକନ୍ୟାର ଅବସ୍ଥା ଗୁରୁତର ଅଛି । ତାକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଥିବା ଅନ୍ୟ ଜଣେ ବାଇକ୍ ଆରୋହୀଙ୍କୁ ମଧ୍ୟ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।  ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କାର ସହ ପଛରେ ଥିବା ଅନ୍ୟ ଏକ କାରରେ ନିଆଁ ଲଗାଇ ଦେଇଥିଲେ।

You might also like