ଦ୍ରୁତ ଗତିରେ ଯାଉଥିଲା, ଟ୍ରକ୍କୁ ପିଟିଲା କାର୍
ବାଲେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥରେ ଫୁଲାଡି ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ରାସ୍ତାରେ ଠିଆ ହୋଇଥିବା ଟ୍ରକ୍କୁ ଏକ କାର୍ ପଛରୁ ଧକ୍କା ଦେବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତ ଡ୍ରାଇଭରଙ୍କ ଘର ରୁପ୍ସା ବୋଲି ଜଣାପଡ଼ିଛି। ଆହତ ବ୍ୟକ୍ତିଜଣଙ୍କ ମଧ୍ୟ କାରରେ ବସିଥିଲେ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ମଧ୍ୟ ରୁପ୍ସାରେ।
ଆଜି ଭୋର ପ୍ରାୟ ୫ଟା ସମୟରେ ଏହି ଦୁଇ ଜଣ ରୁପସାରୁ ଡିଜେଲ ନେଇ କାର୍ ଯୋଗେ ବାଲେଶ୍ୱର ଯାଉଥିଲେ। ଏହି ସମୟରେ ଫୁଲାଡି ନିକଟରେ ଠିଆ ହୋଇଥିବା ଟ୍ରକ୍କୁ କାର୍ଟି ପଛରୁ ଧକ୍କା ଦେଇଥିଲା। ମୃତ ଡ୍ରାଇଭର ଜଣଙ୍କ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ।