କାର ଦୁର୍ଘଟଣାରେ ଆଖିବୁଜିଲେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ, ବୋହୂ ଗୁରୁତର

ପାରାଦୀପ(ରମାକାନ୍ତ ନାୟକ):କଟକ-ପାରାଦୀପ ରାସ୍ତାର ପନ୍ଦର ନମ୍ବର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ଜଗତ୍‌ସିଂହପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏକମାତ୍ର ପୁଅ ବୋଲି ଜଣା ପଡ଼ିଛି।

ପାରାଦୀପର ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀରାମ ସାହୁଙ୍କର ଏକମାତ୍ର ପୁଅ ଶ୍ରୀକାନ୍ତ ସାହୁ।  ଶ୍ରୀରାମଙ୍କର ପାରାଦୀପ ବନ୍ଦରରେ ବଡ ଧରଣର ବ୍ୟବସାୟ ରହିଛି। ତାଙ୍କର ନିଜ ଘର ଜଗତସିଂହପୁରର  ଆଶ୍ରମ ପାଟଣାରେ। ଜଗତସିଂହପୁରର ବିଭିନ୍ନ ସ୍ଥାନରେ ତାଙ୍କର ଘର ଅଛି। ତେବେ ସେମାନେ ପାରାଦୀପରେ ପରିବାର ସହ ରୁହନ୍ତି। ଏକମାତ୍ର ପୁଅ ଶ୍ରୀକାନ୍ତ ବାହାରେ ଚାକିରି କରୁଥିଲେ। ଲକଡାଉନ ସମୟରେ ପାରାଦୀପ ଆସି ଏଠାରେ ବାପାଙ୍କ ବ୍ୟବସାୟ ବୁଝୁଥିଲେ।

ଗତ କିଛିମାସ ତଳେ ସେ ବିବାହ କରିଥିଲେ। ବିବାହ ପରେ ଉଭୟେ ବାହାରକୁ ବୁଲିବାକୁ ଯାଉଥିଲେ। ଦାରିଂବାଡ଼ି ଆଦି ବିଭିନ୍ନ ଅଞ୍ଚଳ ବୁଲାବୁଲି କରି ଫେରିବା ପରେ ସେମାନେ ତାଙ୍କ ଗାଁକୁ ଯାଇଥିଲେ। ଗାଁରୁ ଏକ ସାଣ୍ଟ୍ରୋ କାରରେ ପତ୍ନୀ ସୋନାଲିକାଙ୍କ ସହ ପାରାଦୀପ ଫେରୁଥିଲେ।  କାରଟି ଦ୍ରୁତ ଗତିରେ ଆସୁଥିବାବେଳେ କଟକ-ପାରାଦୀପ ରାସ୍ତାର ପନ୍ଦର ନମ୍ବର ଛକ ନିକଟରେ  ଛିଡ଼ା ହୋଇଥିବା ଟ୍ରକ ପଛରେ ପିଟି ହୋଇ ଯାଇଥିଲା କାର। ଏତେ ଜୋର୍‌ରେ ଧକ୍କା ହୋଇଥିଲା ଯେ, କାରର ଆଗପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ମୃତଦେହ କୁଜଙ୍ଗ ହସ୍ପିଟାଲରେ ରଖାଯାଇଛି।

ଅନ୍ୟପକ୍ଷେ ତାଙ୍କ ସହିତ କାରରେ ଥିବା ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ଜଣା ପଡ଼ିବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

You might also like