ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ

ଚିତ୍ରକୋଣ୍ଡା: (ରିପୋର୍ଟ- ରତ୍ନାକର ପ୍ରଧାନ)ପୋଲିସ ଲୋଗୋ ଲଗାଇ ଗଂଜେଇ ଚୋରା ଚାଲାଣ। ପୋଲିସ ଡ୍ରେସ୍ ପିନ୍ଧି ଗାଡ଼ିରେ ପୋଲିସ ଲୋଗୋ ଲଗାଇ ଏଭଳି ଅଭିନବ ଉପାୟରେ ଗଂଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ଅଭିଯୁକ୍ତ। ମାଲକାନଗିରି ଓରକେଲ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତମାନେ ହେଲେ ରାଜୁ ଖରିଫା, ରାଜୀବ କୁମାର ଓ ଆକାଶ କୁମାର।

ଦୁଇ ଜଣଙ୍କ ଘର ବିହାର ପାଟଣାରେ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମୁଜାଫରପୁର ବୋଲି ଜଣାଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ, ନାକାମାମୁଡ଼ି ଅଞ୍ଚଳରୁ ବିହାରକୁ ଚାଲାଣ ହେଉଥିଲା ଗଂଜେଇ। ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବାଲିମେଳା ଖଡ଼ିକାଝୁଡ଼ି ନିକଟରେ ଚଢ଼ାଉ କରିଥିଲା। ଏହି ସମୟରେ ପୋଲିସ ଲେଖା ହୋଇଥିବା ଏକ କାରରୁ ଗଂଜେଇ ଜବତ କରିଥିଲା ପୋଲିସ। ଏଥିସହ ପୋଲିସ ଡ୍ରେସ୍ ପିନ୍ଧି କାରରେ ବସିଥିବା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ସେପଟେ ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗୁଜରାଟ ପୋଲିସ ଓଡ଼ିଶାରୁ ଜଣଙ୍କୁ ଉଠାଇ ନେଇଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ସହାୟତାରେ ସିଙ୍ଗପୁର ଗାଁରୁ ସୁରେନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଘରୁ ଗିରଫ କରିଛି ଗୁଜୁରାଟ ପୋଲିସ।

You might also like