ଭକ୍ତର ଭାବକୁ ବୁଝିଲେ କି ଭାବଗ୍ରାହୀ ?

ପୁରୀ: ଭକ୍ତର ଭାବକୁ ଯେ ଭଲ କରି ଜାଣନ୍ତି ଭାବଗ୍ରାହୀ, ସେ କଥା ପୁଣି ପ୍ରମାଣିତ ହେବା ଭଳି ମନେ ହେଉଛି। କରୋନା କଟକଣା ଯୋଗୁଁ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବାକୁ ଯାଉଥିବା ପ୍ରତିଟି ଜଗନ୍ନାଥ ଆଶ୍ରିତଙ୍କୁ ନିରାଶ ନହେବାକୁ ମିଳିଲାଣି ପରାମର୍ଶ। କାରଣ ଆସନ୍ତାବର୍ଷ ପୁଣି ପଡ଼ିପାରେ ଠାକୁରଙ୍କ ଏହି ଅଲଭ୍ୟ ବେଶ।

ପାଞ୍ଜି ଗଣନାକାରୀଙ୍କ ଏଭଳି ସ୍ପଷ୍ଟ ସଙ୍କେତ ପରେ ଉତ୍କଣ୍ଠିତ ହେଲାଣି ଭକ୍ତଙ୍କ ମନ। ନୟନ ସେବାୟତ ବି କହିଲେଣି ଲାଗ ଲାଗ ନାଗାର୍ଜ୍ଜୁନ ବେଶ ପଡ଼ିବା ନୂଆ କଥା ନୁହେଁ। ପୂର୍ବରୁ ୧୯୬୭ ଓ ୬୮ ଏବଂ ୧୯୯୩ ଓ ୯୪ ମସିହାରେ ବି ଏମିତି ଲାଗି ଲାଗି ନାଗାର୍ଜ୍ଜୁନ ବେଶ ପଡ଼ିଥିଲା। ତେବେ ଯେହେତୁ ଦୋଳପୂର୍ଣ୍ଣମୀ ପରେ ଶ୍ରୀମନ୍ଦିରରେ ନୂଆ ପାଞ୍ଜି ପ୍ରଚଳନ ହେବ, ତେଣୁ ଏତେ ଆଗରୁ ଏ ସମ୍ପର୍କରେ କାହାକୁ କିଛି ବି ଜଣାନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।

ଭଲକରି ଦେଖନ୍ତୁ, ଇଏ କୋହେନୂର ପ୍ରେସ ପଞ୍ଜିକା ପକ୍ଷରୁ ପ୍ରସ୍ତୁତ ୨୦୨୧ ମସିହାର ନୂଆ କ୍ୟାଲେଣ୍ଡର, ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଆସନ୍ତାବର୍ଷ ନଭେମ୍ବର ୧୫ ତାରିଖ ସୋମବାରରେ ହିଁ ପଡିବ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ। ତେବେ ଅନ୍ୟ ଏକ କ୍ୟାଲେଣ୍ଡର ଭାଗ୍ୟଜ୍ୟୋତି ଖଡିରତ୍ନ ପଂଜିକାରେ କିନ୍ତୁ ଏ ଦୁର୍ଲଭ ବେଶ ସମ୍ପର୍କରେ କୌଣସି ସୂଚନା ନାହିଁ ଅର୍ଥାତ୍ ନାଗାର୍ଜ୍ଜୁନ ବେଶ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ।

ତେଣେ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତରେ ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ୫ଦିନ ପରିବର୍ତ୍ତେ ୬ଦିନ ପଡିବ ସେବର୍ଷ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ଚତୁର୍ଦ୍ଦଶୀ ଭିତରେ ଯେଉଁ ତିଥିରେ ମଳ ରହେ, ସେହି ତିଥିରେ ହିଁ ନାଗାବେଶ ଧାରଣ କରିବେ। ଶ୍ରୀଜିଉ ତେବେ ଯେହେତୁ ଶ୍ରୀମନ୍ଦିରର ଯାନିଯାତ୍ରା ସ୍ୱତନ୍ତ୍ର, ତେଣୁ ନୂଆ ପାଞ୍ଜି ଆସିଲେ ହିଁ ସବୁକିଛି ସ୍ପଷ୍ଟ ହେବ।

ଦୀର୍ଘ ୨୬ବର୍ଷ ପରେ ଆସନ୍ତା ନଭେମ୍ବର ୨୭ରେ ପଡୁଛି ନାଗାର୍ଜ୍ଜୁନ ବେଶ ହେଲେ କରୋନା କଟକଣା ପାଇଁ ବିନା ଭକ୍ତରେ ଆରମ୍ଭ ହୋଇଛି ପ୍ରସ୍ତୁତି, ଆଉ ଏପଟେ ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ନପାଇ ସିଂହଦ୍ୱାର ଆଗରୁ ଭଗ୍ନମନରେ ଫେରୁଛନ୍ତି ଭକ୍ତ।

You might also like