ଛାତ୍ର ସଂସଦ ନିର୍ବାଚନ; ଉଷ୍ମ ହେଲାଣି କ୍ୟାମ୍ପସ୍ ରାଜନୀତି
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଲାଗି ତାରିଖ ଘୋଷଣା ଏଯାଏ ହୋଇନି। ହେଲେ ଏହାପୂର୍ବରୁ ଉଷ୍ମ ହେଲାଣି କ୍ୟାମ୍ପସ୍। ସୋମବାର ବିଜେବି କଲେଜ୍ର ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ରକ୍ତପାତ ପରେ କ୍ୟାମ୍ପସ ରାଜନୀତି ଜୋରଧରିଛି। ବିଜୁ ଛାତ୍ର ଜନତା ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍କୁ ନିନ୍ଦା କରିଛି ଛାତ୍ର କଂଗ୍ରେସ। ବିଜୁ ଛାତ୍ର ଜନତା ଦଳରେ ଫାଟ ଥିବା ଚର୍ଚ୍ଚା ଆରମ୍ଭ ହେଲାଣି।
ଖାଲି ବିଜେବି କାହିଁକି, ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ବିଜୁ ଛାତ୍ର ଜନତା ସମର୍ଥିତ ଗୋଷ୍ଠୀ ବିବାଦ ରହିଥିବା ବିରୋଧୀ ସଂଗଠନ ଅଭିଯୋଗ ଆଣିଛନ୍ତି। ତେବେ ଦଳୀୟ କନ୍ଦଳ ଲାଗି ନିରୀହ ଛାତ୍ରଛାତ୍ରୀ ବଳି ନ ପଡ଼ନ୍ତୁ ବୋଲି ଏବିଭିପି ଓ କଂଗ୍ରେସ ମତ ରଖିଛନ୍ତି। ଅନ୍ୟପଟେ ବିରୋଧୀଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜୁ ଛାତ୍ର ଜନତା ଦଳସଭାପତି। ଛାତ୍ର ସଂସଦ ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀ ଛାତ୍ର ସଂଗଠନ ତୁଚ୍ଛା ରାଜନୀତି କରୁଥିବା ସଭାପତି ରାଣାପ୍ରତାପ ପାତ୍ର କହିଛନ୍ତି।
ସେପଟେ ଦଳର କିଛି ଅସନ୍ତୁଷ୍ଟ ଛାତ୍ରନେତା ପରୋକ୍ଷରେ ଦଳ ଭିତର ଫାଟକୁ ସ୍ୱୀକାର କରିଛନ୍ତି। ତେବେ କ୍ୟାମ୍ପସ ରାଜନୀତିରେ ରାଜନୈତିକ ଦଳ ଗୁଡିକର ଅତ୍ୟଧିକ ହସ୍ତକ୍ଷେପ ବାତାବରଣକୁ ସରଗରମ କରୁଥିବା ନେଇ ଚର୍ଚ୍ଚା ହେଉଛି।