ଘରୁ ଡାକିନେଲେ, ହତ୍ୟା କଲେ

ନକ୍ସଲଙ୍କ ବର୍ବର କାଣ୍ଡ

ବିଶାଖାପାଟଣମ:  ନକ୍ସଲଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା କରିଛନ୍ତି ନକ୍ସଲ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ଜିଲ୍ଲାର ପେଦାବାଇଲୁ ଚିନ୍ତାଗୁରୁ ଗାଁର ସତୀଶ ବାବୁଙ୍କୁ ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଛନ୍ତି।

ରାତି ପ୍ରାୟ ଦୁଇଟା ବେଳେ ୨୦ରୁ ଅଧିକ ମାଓବାଦୀ ଘରୁ ଡାକିଥିଲେ ପରେ ଗାଁ ମୁଣ୍ଡରେ ଅତି ନୃଶଂସ ଭାବେ ସେମାନେ ହତ୍ୟା କରିଥିବା ନେଇ ସୂଚନା ରହିଛି। ଘଟଣାସ୍ଥଳରେ ନକ୍ସଲମାନେ ଏକ ଚିଠି ଛାଡି ପଳାଇଥିବା ଦେଖାଦେଇଛି। ତେବେ ଅନେକ ଦିନର ନିରବତା ପରେ ପୁଣି ଥରେ ସକ୍ରିୟ ହୋଇଛି ଲାଲବାହିନୀ।

ତେବେ କିଛିଦିନ ତଳେ  ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ଆଇଡି ବିସ୍ଫୋରଣରେ ସିଆରପିଏଫ୍ କୋବ୍ରାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତିନ ଭାଲେରେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ ୭ଜଣ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି।

ମହାରାଷ୍ଟ୍ର ନାସିକର ନୀତିନ ଭାଲେରେ କୋବ୍ରା ୨୦୬ ବାଟାଲିୟନର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ସିଆରପିଏଫ୍ ଯବାନମାନେ ଆଣ୍ଟି ନକ୍ସଲ ଅପରେସନ୍‌ରୁ ଫେରୁଥିଲେ। ଏହି ସମୟରେ ଯବାନମାନଙ୍କୁ ଟାର୍ଗେଟ୍ କରି ତାଦମେତଲା ଗାଁ ନିକଟ ଜଙ୍ଗଲରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ।

ଏହାପୂର୍ବରୁ  ଛତିଶଗଡ଼ରେ ଯବାନଙ୍କୁ ମିଳିଥିଲା ଏକ ବଡ ସଫଳତା। ଯବାନଙ୍କ ଏନକାଉଣ୍ଟରରେ ୩ଜଣ ନକ୍ସଲ ନିହତ ହୋଇଛନ୍ତି। କାଙ୍କେର ଜିଲ୍ଲା ରାଓଘାଟ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ରହିଛି । ମୃତ ୩ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନ ମିଳିଛି।

ନକ୍ସଲଙ୍କ ଗୁଳି ମାଡ଼ରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ବସ୍ତର ଜିଲ୍ଲା ପୋଲିସ ଆଇଜି ପି. ସୁନ୍ଦରରାଜ ଏହି ସୂଚନା ଦେଇଛନ୍ତି ।

You might also like