ବିଜୁ ଯୁବ ବାହିନୀ ଅାକାଉଣ୍ଟ ଅଡିଟ୍‌କୁ ନେଇ ଏଜିଙ୍କ ଛାଟ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍ କାର୍ଯ୍ୟକ୍ରମ କୁହାଯାଉଥିବା ବିଜୁ ଯୁବ ବାହିନୀକୁ ଅାକାଉଣ୍ଟାଣ୍ଟ ଜେନେରାଲଙ୍କ ରେଡ୍ ସିଗ୍‌ନାଲ। ଡେପୁଟି ଏଜି, କ୍ରୀଡ଼ା ଓ ଯୁବ ବ୍ୟାପାର ସିବଙ୍କୁ ଲେଖିଥିବା ଚିଠିରେ ଦର୍ଶାଯାଇଛି, ଯଦି ବିଜୁ ଯୁବ ବାହିନୀ ଯୋଜନା ବାବଦରେ ହିସାବ ଦେବାକୁ ସମୟ ନାହିଁ, ତେବେ ଏ ଯୋଜନା କାର୍ଯ୍ୟକାରୀ ପାଇଁ ବି ଅାପଣ ଧ୍ୟାନ ଦେଇପାରିବେନି।

ସୁତରାଂ ଯୋଜନା ବାବଦ ଅର୍ଥ ସଂପୂର୍ଣ୍ଣ ଅଡିଟ୍ ନସରିଲା ଯାଏଁ ଖର୍ଚ୍ଚ କରନି। ପୂର୍ବରୁ ବିଜୁ ଯୁବ ବାହିନୀ ସ୍କିମ୍‌ର ଉଦ୍ଦେଶ୍ୟ, ପାଣ୍ଠିର ଉତ୍ସ, କିଭଳି କାର୍ଯ୍ୟକାରୀ ହେବ, ସେ ସଂପର୍କରେ ରାଜ୍ୟ କ୍ରୀଡ଼ା ବିଭାଗକୁ ତଥ୍ୟ ମାଗିଥିଲେ ଏଜି।

ତେବେ ହକି ବିଶ୍ୱକପ୍ ପ୍ରସ୍ତୁତିରେ ବ୍ୟସ୍ତତା ଯୋଗୁଁ ଅଡିଟ୍ କାମରେ ସହଯୋଗ କରିହେବ ନାହିଁ ବୋଲି ବିଭାଗ ସିଧା ଜଣାଇଦେଇଥିଲା । ଏହାକୁ ନେଇ ଏଜି କଡା ଅାଭିମୁଖ୍ୟ ଗ୍ରହଣ କରିଛନ୍ତି। ସେପଟେ ବିଜୁ ଯୁବ ବାହିନୀର ବୈଦ୍ଧତାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବିଜେପି, ସିଏଜିଙ୍କ ମନ୍ତବ୍ୟ ସଂପର୍କରେ ମଧ୍ୟ କୋର୍ଟଙ୍କୁ ଅବଗତ କରିବ ବୋଲି କହିଛି। ତେବେ ଏନେଇ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଗତକାଲି ସିଏଜି ୧୩ଟି ପ୍ରମୁଖ ବିଭାଗରେ ହୋଇଥିବା ବିଭିନ୍ନ ଅନିୟମିତତାକୁ ନିଜ ରିପୋର୍ଟରେ ଦର୍ଶାଇଥିଲେ। ତେବେ ସେଥିରୁ ଅନ୍ୟତମ ଗୁରୁତର ପ୍ରସଙ୍ଗ ହେଉଛି ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ୱଚ୍ଛ ଓ ନିରାପଦ ପିଇବା ପାଣି ଯୋଗାଇ ଦେବା ଲାଗି କେନ୍ଦ୍ର ଅାରମ୍ଭ କରିଥିବା ଏହି ପ୍ରକଳ୍ପ ଅନ୍ତର୍ଗତ ୨୦୧୭ ସୁଦ୍ଧା ରାଜ୍ୟର ୩୫ ପ୍ରତିଶତ ଲୋକଙ୍କୁ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଥିଲା। ତେବେ ସରକାର ମାତ୍ର ୩.୭ ପ୍ରତିଶତ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାରେ ସମର୍ଥ ହୋଇଛନ୍ତି।

ଏହାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। ତେବେ ୪୫ ପ୍ରତିଶତ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଅାଯାଇଥିବା ବିଭାଗୀୟ ମନ୍ତ୍ରୀ ଦାବି କରିବା ସହ ସିଏଜିଙ୍କ ତଥ୍ୟକୁ ଗ୍ରହଣ କରିନାହାନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ତଥ୍ୟ ଠିକ୍ ନୁହେଁ ବୋଲି କହିଛି କଂଗ୍ରେସ।

ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଖର୍ଚ୍ଚରେ ଅନିୟମିତତାକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିଛି। କାରାଗାର ଲାଗି ରାଇଫଲ କିଣା, ୱାକିଟକି ଓ ଜାମର ଲଗାଇବାରେ ଅନିୟମିତତା ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

You might also like