ବେଆଇନ୍ ଭାବେ ସେସୁ ଖୁଣ୍ଟିରେ କେବୁଲ୍ ଟାଣିଛି ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍

କୋଟି କୋଟି ଦେୟ ଦେଉଥିବା ଅରଟେଲ୍‌କୁ ହଇରାଣ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀର ଛାତି ଉପରେ ଚାଲିଛି ବେଆଇନ କାମ। ଖୁଲମଖୁଲା ଆଇନ ଉଲ୍ଲଙ୍ଘନ କରୁଛି ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍। କେବଳ ଭୁବନେଶ୍ୱର ନୁହେଁ, କଟକ ସହରର ଗଳିକନ୍ଦିରେ ଗୋଟିଏ ଖୁଣ୍ଟରୁ ଅନ୍ୟ ଖୁଣ୍ଟକୁ ଜାଲ ପରି ବିଛାଯାଇଛି କେବୁଲ ତାର।

୨୦୧୬ରୁ ସଂସ୍ଥା ବେଆଇନ ଭାବେ ସେସୁର ବିଦ୍ୟୁତ୍ ଖୁଣ୍ଟରେ କେବୁଲ ଟାଣିବା ସହ ବିଦ୍ୟୁତ୍ ବ୍ୟବହାର କରି ଯୋଗାଉଛି କେବୁଲ ସେବା। ଓଟିଭିର ଅନୁସଂଧାନ ଅନୁଯାୟୀ କେବୁଲ୍ ବ୍ୟବସାୟ ପାଇଁ ଅର୍ଥାତ ବିଦ୍ୟୁତ୍ ଖୁଣ୍ଟରେ ତାର ଟାଣିବା ଓ ବିଦ୍ୟୁତ୍ ବ୍ୟବହାର ପାଇଁ ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍ ସେସୁ ଠାରୁ ଅନୁମତି ନେଇନାହିଁ କି କୌଣସି ଚୁକ୍ତି ବି କରିନାହିଁ। ଏହାସତ୍ତ୍ୱେ ବେଧଡ଼କ ବେଆଇନ କେବୁଲ୍ ବିଛାଇଛି ଏହି ସଂସ୍ଥା। ତେଣୁ ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍ କେଉଁ ଆଧାରରେ ଓ କିଭଳି ସରକାରୀ ପୃଷ୍ଠପୋଷକତାରେ ଏଭଳି ବେଆଇନ ଭାବେ କେବୁଲ୍ ବିଛାଇ ବ୍ୟବସାୟ ଚଳାଇଛି ତାକୁ ନେଇ ଉଠିଛି ପ୍ରଶ୍ନ।

ତେବେ ଉଭୟ ସୌମ୍ୟରଂଜନ ଓ କଂପାନୀ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ମାନିବାକୁ ନାରାଜ। ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍‌ର ବେଆଇନ କାମ ସଂପର୍କରେ ପଚରାଯିବାରୁ ସେସୁର ବୈଷୟିକ ମୁଖ୍ୟ କୌଣସି ଉତ୍ତର ଦେଇନଥିଲେ। ସେସୁର ବ୍ୟାବସାୟିକ ବିଭାଗ ଏ ବିଷୟରେ ଜାଣିଥିବ ବୋଲି କହି ସେ ପ୍ରସଙ୍ଗକୁ ଏଡ଼ାଇଯାଇଥିଲେ। ଏପଟେ ସମସ୍ତ  ଅଭିଯୋଗର ତଦନ୍ତ କରି ଦୋଷୀଙ୍କ ଠାରୁ ଫାଇନ୍ ଆଦାୟ ଲାଗି ଦାବି କରିଛି ଉପଭୋକ୍ତା ମହାସଂଘ।

ସେପଟେ ରାଜ୍ୟର ପ୍ରତିଷ୍ଠିତ କେବୁଲ୍ ସେବା ପ୍ରଦାନକାରୀ ସଂସ୍ଥା ଓରଟେଲ୍ କର୍ତ୍ତୃପକ୍ଷ ଯୁକ୍ତି ବାଢ଼ିଛନ୍ତି , କଂପାନୀ ଆଇନଗତ ଭାବେ ସେସୁ ସହ ଚୁକ୍ତି କରି କେବୁଲ୍ ବ୍ୟବସାୟ କରୁଛି। ଖୁଣ୍ଟରେ ତାର ଟାଣିବା ଓ ବିଦ୍ୟୁତ ବ୍ୟବହାର ନେଇ ଓରଟେଲ୍ , ବିଦ୍ୟୁତ୍‌ ବିତରଣ କଂପାନୀକୁ କୋଟି କୋଟି ଟଙ୍କାର ଦେୟ ଦେଇଆସିଛି। ହେଲେ ଏବେ ବିଭିନ୍ନ ଆଳ ଦେଖାଇ ସରକାରଙ୍କ ପକ୍ଷରୁ ଓରଟେଲ୍‌କୁ ହଇରାଣ କରାଯାଉଥିବା ନଜରକୁ ଆସିଛି। ଗତ  ଏପ୍ରିଲ ମାସରେ ମଧ୍ୟ ସ୍ଥାନୀୟ ପ୍ରଶାସନ ବ୍ରହ୍ମପୁର ଅରଟେଲ୍ ଅଫିସ୍‌କୁ ବି ସିଲ୍ କରିଥିଲା।

ତେବେ କୋର୍ଟଙ୍କ ରାୟ ପରେ ସିଲ୍ ଖୋଲିବାକୁ ବାଧ୍ୟ ହୋଇଥିଲା। ଏସବୁ ଘଟଣାରୁ ଅରଟେଲ୍ ବିରୁଦ୍ଧରେ କେଉଁଠି ନା କେଉଁଠି ରାଜନୈତିକ ଅଭିସନ୍ଧି ରଖି କାର୍ଯ୍ୟ କରାଯାଉଥିବା କର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଶାସକ ଦଳର ସାଂସଦ ହୋଇଥିବାରୁ ସୌମ୍ୟରଂଜନଙ୍କ କେବୁଲ୍ ସଂସ୍ଥା ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍‌ର ବେଆଇନ୍ କାରବାର ପ୍ରତି ସରକାର କଣ ଜାଣିଶୁଣି ଆଖି ବୁଜି ଦେଇଛନ୍ତି। ଏହା କଣ ତଦନ୍ତ ସାପେକ୍ଷ ନୁହେଁ ?

You might also like