କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଋତୁରେ ୫୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।  ଏଥିରୁ ୩୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ହେବ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

୨୩ ଲକ୍ଷ ମେଟ୍ରିକ୍‌ ଟନ୍ ଚାଉଳ ସାଧାରଣ ବଣ୍ଟନ ପାଇଁ ରହିବ। ବଳକା ଚାଉଳ ଏଫ୍‌ସିଆଇକୁ ଦିଆଯିବ।  ଧାନ ଦେବାର ୩ ଦିନ ମଧ୍ୟରେ ଚାଷୀ ପଇସା ପାଇବେ। ୨୪ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ପାକ୍ସ ଏବଂ ଲ୍ୟାମ୍ପସ୍‌ ଜରିଆରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ଏହାସହିତ ଧାନ ସଂଗ୍ରହ ବେଳେ ଏଥର ମୁଣ୍ଡପିଛା ଧାନ କଟାଯିବ ନାହିଁ। ପୂର୍ବରୁ ଯେଉଁ ମୁଣ୍ଡପିଛା ୩ କୁଇଣ୍ଟାଲ୍‌ କଟା ଯାଉଥିଲା ତାହା ଆଉ କଟା ଯିବ ନାହିଁ। ଏହା ଦ୍ୱାରା କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହେବେ।

କ୍ୟାବିନେଟ୍‌ ବୈଠକରେ ଆଉ ଏକ ନିଷ୍ପତ୍ତି କ୍ରମେ, ‘ଆମ ଗାଁ ଆମ ବିକାଶ’ ଗାଇଡ୍‌ଲାଇନକୁ ମଂଜୁରୀ ମିଳିଛି।  ଚଳିତ ବଜେଟ୍‌ରେ ‘ଆମ ଗାଁ ଆମ ବିକାଶ’ ପାଇଁ ୧୨୫୦ କୋଟିର ବଜେଟ୍‌ ରହିଛି। ଏହା ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ହେବ। ଏଥିପାଇଁ କୌଣସି ଠିକାଦାର ନିୟୋଜିତ ହେବେ ନାହିଁ। ୧ ରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ପ୍ରତି ପ୍ରକଳ୍ପ କାମ କରାଯିବ।  ଏହା ସହିତ କୃଷି ବିଭାଗ କ୍ୟାଡର୍‌ ପୁନର୍ବିନ୍ୟାସକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି।

You might also like