କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ, ନୂଆପଡ଼ା-କଳାହାଣ୍ଡି ରାସ୍ତା ହେବ ୪ ଲେନ୍ ବିଶିଷ୍ଟ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୧ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଅର୍ଥ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି ।

ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ୧୧ଟି ପ୍ରସ୍ତାବ ମଧ୍ୟରୁ ୪ଟି ହେଉଛି ବିଜୁ ଏକ୍ସପ୍ରେସ୍ ୱେ ନିର୍ମାଣ ଓ ପ୍ରଶସ୍ତୀକରଣ । ଏଥିରେ ରହିଛି ନୂଆପଡ଼ା-କଳାହାଣ୍ଡି ରାସ୍ତା । ଏହି ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରାଯିବ । ୧୭୪ କିମି ରାସ୍ତା ପାଇଁ ବଜେଟ ହୋଇଛି ୪୪୮ କୋଟି ଟଙ୍କା ।

ସେହିପରି କଟକ ମୁଖ୍ୟ ଡ୍ରେନକୁ ବକ୍ସ କଲଭର୍ଟ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପଟ୍ଟାପୋଲରୁ ମାତୃ ଭବନ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନକୁ ବକ୍ସ କଲଭର୍ଟ କରାଯିବ । ଏଥିପାଇଁ ବଜେଟ୍ କରାଯାଇଛି ୪୫୦ କୋଟି ଟଙ୍କା । ୨୦୨୨ ଡିସେମ୍ବର ସୁଦ୍ଧା ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

ଅନ୍ୟପଟେ ଆଜି ୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ବାଲେଶ୍ୱରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡର ଭିତ୍ତିପ୍ରସ୍ତର ସ୍ଥାପନ ରଖିଛନ୍ତି ।

ସେହିଭଳି କଟକରେ ଫୁସଫୁସ୍ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଓ ନବରଙ୍ଗପୁରରେ ଏକ RT-PCR ଟେଷ୍ଟ୍ ଲାବୋରେଟୋରୀର ଭର୍ଚୁଆଲରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି । ଆଜିର ନୂଆ ବ୍ୟବସ୍ଥାଗୁଡ଼ିକ ଲୋକଙ୍କୁ ଖୁବ୍‌ଶୀଘ୍ର ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ରଜ ଓ ସାବିତ୍ରୀରେ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିଜର ଆବଶ୍ୟକତାକୁ ପୂରଣ କରିବା ସହ ଓଡିଶା, ୧୭ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇଛି । ରାଜ୍ୟର ସବୁ ପ୍ରମୁଖ ହସ୍ପିଟାଲରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରଜ ଓ ସାବିତ୍ରୀ ଉତ୍ସବ ସମୟରେ ଜନସାଧାରଣ ସତର୍କ ରହି, କୋଭିଡ ନିୟମ ପାଳନ କରି ପର୍ବ ପାଳିବାକୁ ନିବେଦନ କରିଛନ୍ତି ।

You might also like