ତୁରନ୍ତ ଘର ନଛାଡ଼ିବାରୁ ରାଜଧାନୀରେ ଭଡ଼ାଟିଆଙ୍କୁ ଆକ୍ରମଣ

ଭୁବନେଶ୍ୱର: ନୟାପଲ୍ଲୀ ଏନ-୩ର ଏକ ପ୍ଲଟରେ ଘର ଭଡ଼ାଟିଆଙ୍କୁ ଆକ୍ରମଣ ସହ ଆସବାବପତ୍ର ଭଙ୍ଗାରୁଜା ଅଭିଯୋଗ ହୋଇଛି।  ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ଭଡ଼ା ଘରେ ପଶି ୧୦ରୁ ଅଧିକ ଲୋକେ ଭଙ୍ଗାରୁଜା କରିବା ସହ ତାଙ୍କୁ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ସେ କିଛି ବର୍ଷ ହେଲା ଏନ-୩ ଅଞ୍ଚଳରେ ଭଡ଼ାଡାରେ ରହିଆସୁଥିଲେ। ହେଲେ ଗତକାଲି ଅପରାହ୍ଣରେ ତାଙ୍କ ଘର ଖାଲି କରିବାକୁ କୁହାଯିବାରୁ ସେ ତୁରନ୍ତ ଘର ଛାଡ଼ିପାରିବେ ନାହିଁ ବୋଲି ମନା କରିଥିଲେ।

ଫଳରେ ୨୦ରୁ ୩୦ଜଣ ଲୋକେ ତାଙ୍କ ଘରେ ଜୋରଜବରଦସ୍ତ ପଶିବା ସହ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଏନେଇ ନୟାପଲ୍ଲୀ ପୋଲିସ  ୧୪ଜଣଙ୍କୁ ଅଟକ ରଖିଥିବା ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଥିଲେ। ପରେ ଜଣେ ହାବିଲଦାରଙ୍କ ସହ ୧୭ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ। ଘର ଦଖଲକୁ ନେବା ଉଦ୍ୟମ କରି ମାରପିଟ ଅଭିଯୋଗ ହୋଇଥିଲା।

ସେଠାରେ କିଛି ବାଉନ୍ସର ଓ ଅସାମାଜିକ ତତ୍ତ୍ୱ ଥିଲେ।  ଏପରିକି ଘର ମାଲିକଙ୍କ ଉପସ୍ଥିତିରେ ସେମାନେ ଆସି ଭଙ୍ଗାରୁଜା କରିଥିଲେ। ମୋ ଉପରକୁ ଆକ୍ରମଣ କରିଥିଲେ। ମୋର ମୋବାଇଲ ଓ ଅଫିସ୍ ଫାଇଲପତ୍ର ନେଇଯାଇଛନ୍ତି।
-ଅଭିଯୋଗକାରୀ 
ଏନେଇ ଏକ ମାମଲା ରୁଜୁ କରାଯାଇଛି। ତାଙ୍କ ଘରେ ୪୦-୫୦ ଲୋକ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସିସିଟିଭି କ୍ୟାମେରା ଭାଙ୍ଗିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ କାନରୁ ରକ୍ତସ୍ରାବ ହୋଇଛି ଓ ତାଙ୍କର କିଛି ଜିନିଷପତ୍ର ଚୋରି କରି ନେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।  
-ଉମାଶଙ୍କର ଦାଶ, ଡିସିପି
You might also like