୨ ଜଣ ଯାତ୍ରୀଙ୍କୁ ଅନୁମତି ନେଇ ଅସନ୍ତୋଷ ପ୍ରକାଶ କଲା ଅଟୋ ଚାଳକ ମହାସଂଘ
ଭୁବନେଶ୍ୱର: କରୋନା ଭୟ ଭିତରେ ଜୀବନ ଯାତ୍ରାକୁ ସ୍ୱାଭାବିକ କରିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କାଲିଠୁ ରାଜ୍ୟରେ ଫୁଲ ଫେଜ୍ରେ ଯାତ୍ରୀ ପରିବହନ ସେବା ଆରମ୍ଭ ହେବ। ଜାରି ହୋଇଥିବା ନୂଆ ଗାଇଡ୍ଲାଇନ୍ ଭିତ୍ତିରେ ଘରୋଇ ବସ୍ ସହ ଅଟୋ ଓ ଟ୍ୟାକ୍ସି ସେବାକୁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଏସ୍ଆର୍ସି। ତେବେ ଘରୋଇ ବସ୍ ମାଲିକ ସଂଘ କହିଛି, ଏଯାଏଁ ରାଜ୍ୟ ସରକାର ତାଙ୍କ ସହ ଆଲୋଚନା କରିନାହାଁନ୍ତି କି ଆସନ୍ତାକାଲି ବସ୍ ଚଳାଇବା ବି ସମ୍ଭବ ନୁହେଁ।
ମାର୍ଚ୍ଚ ୨୫ରୁ ମେ ୨୫, ଦୀର୍ଘ ୨ ମାସର ବ୍ୟବଧାନ ପରେ ସୋମବାରଠାରୁ ସ୍ୱାଭାବିକ ହେବାକୁ ଯାଉଛି ସାଧାରଣ ଯାତ୍ରୀ ପରିବହନ ସେବା। ଏଥିପାଇଁ ବସ୍, ଅଟୋରିକ୍ସା ସମେତ ଓଲା, ଉବେରକୁ ଗ୍ରୀନ୍ ସିଗ୍ନାଲ୍ ଦେଇଛନ୍ତି ରାଜ୍ୟ ସରକାର। ତାସହ ସିଟିବସ୍ ଚଳାଚଳକୁ ବି ଅନୁମତି ମିଳିଛି।
ଗଣମାଧ୍ୟମକୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି ଯେ, ବସ୍ର ସିଟ୍ କ୍ଷମତା ଅନୁଯାୟୀ ଯାତ୍ରୀ କେବଳ ବସିକି ଯାଇପାରିବେ। ତେବେ ୪ ଚକିଆ ଏବଂ ଅଟୋରେ ଡ୍ରାଇଭର ବ୍ୟତୀତ କେବଳ ୨ ଜଣ ଯାତ୍ରୀ ଯାଇପାରିବେ।ଏହାବ୍ୟତୀତ ରେଳଷ୍ଟେସନ୍, ବସ୍ଷ୍ଟାଣ୍ଡ ଓ ଏୟାରପୋର୍ଟକୁ ଯିବା ଆସିବା କରୁଥିବା ଯାନବାହନ ଉପରୁ କଟକଣା ଉଠାଇବା ସହ ୨୪ ଘଣ୍ଟିଆ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ହେଲେ ବିନା ମାସ୍କରେ ଯାତ୍ରାକୁ ନିଷିଦ୍ଧ କରାଯାଇଛି। ସେହିପରି କରୋନା ଲକ୍ଷଣ ଥିବା ଯାତ୍ରୀ ବସ୍ରେ ଯାଇପାରିବେନି ବୋଲି SRC ସୂଚାଇ ଦେଇଛନ୍ତି।
ଟ୍ରେନ୍ ଚଳାଚଳ ଉପରୁ ବି କଟକଣା ହଟିଛି। ରେଲୱେ ଏବଂ ଗୃହ ମନ୍ତ୍ରାଳୟର SOP ଅନୁସାରେ ରାଜ୍ୟରେ ଟ୍ରେନ୍ ଚାଲିବ ବୋଲି SRC କହିଛନ୍ତି। ତେବେ କାଲିଠୁ ବସ୍ ଗଡ଼ିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଘରୋଇ ବସ୍ ମାଲିକ ସଂଘ କିନ୍ତୁ ଭିନ୍ନ କଥା କହିଛି। ସରକାର ଏପର୍ଯ୍ୟନ୍ତ ଆମକୁ ବୈଠକ ପାଇଁ ଡାକି ନାହାନ୍ତି। ବୈଠକ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ବସ୍ ମାଲିକ ସଂଘ କହିଛି।
ଅପରପକ୍ଷେ ଅଟୋରେ ୨ ଜଣ ଯାତ୍ରୀଙ୍କୁ ଅନୁମତି ନେଇ ଅସନ୍ତୋଷ ପ୍ରକାଶ କରିଛି ନିଖିଳ ଓଡ଼ିଶା ଅଟୋ ଚାଳକ ମହାସଂଘ। ତେବେ ପରିବହନ ମନ୍ତ୍ରୀ କହିଛନ୍ତି, ସିଟ୍ ଅନୁସାରେ ଯାତ୍ରୀ ପରିବହନ ଅନୁମତି ଥିବାରୁ ବସ ମାଲିକଙ୍କ ଆଉ କ୍ଷତି ହେବନି। ବସ୍ ମାଲିକଙ୍କ ଟିକସ ଛାଡ଼ ସଂପର୍କରେ ବିଚାର କରାଯାଉଛି।
ପୂର୍ବରୁ ଅନୁମତି ଥିଲେ ବି ନିର୍ଦ୍ଧିଷ୍ଟ ଦାବି ଉଠାଇ ବସ୍ ଚଳାଇବାକୁ ରାଜି ହୋଇନଥିଲା ଘରୋଇ ବସ୍ ମାଲିକ ସଂଘ। ଫଳରେ ଟ୍ୱିନ୍ସିଟି ସହ ନିର୍ଦ୍ଧିଷ୍ଟ କିଛି ସହରରେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି OSRTC ବସ୍ ଚଳାଇଥିଲେ ରାଜ୍ୟସରକାରା। କାଲିଠୁ କିନ୍ତୁ ସାଧାରଣଯାତ୍ରୀ ପରିବହନ ସେବା ଆରମ୍ଭ ହେଉଥିବାବେଳେ କଡ଼ାକଡ଼ି ଭାବେ ଯଦି କୋଭିଡ୍ କଟକଣା ପାଳନ ନହୁଏ, ତେବେ ପୁଣି ରାଜ୍ୟ ପାଇଁ ଚିନ୍ତା ବଢ଼ିପାରେ।