କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ପର୍ଶଳା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ କୋଇଡ଼ାରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରୁଥିବା ‘ସଂସ୍କାର’ ନାମକ ଏହି ଯାତ୍ରୀବାହୀ ବସ୍ଟି ଭାରସାମ୍ୟ ହରାଇ ପର୍ଶଳା ନିକଟରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ବହୁ କଷ୍ଟରେ ବସ୍ ଭିତରୁ ବାହାର କରାଯାଇଥିଲା।
ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍ କର୍ମଚାରୀମାନେ ଫେରାର ହୋଇଯାଇଛନ୍ତି।
ପୁଲିସ୍ ଯାତ୍ରୀମାନଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।