ରାୟଗଡ଼ା ମୁକୁନ୍ଦପୁର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ୭ ଗୁରୁତର

ମୁକୁନ୍ଦପୁର : ଓଲଟିଲା ଯାତ୍ରୀବାହୀ ବସ୍, ୭ ଗୁରୁତର । ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଓଲଟିଲା ଘରୋଇ ବସ । ଜୟପୁରରୁ ଅନୁଗୁଳ ଯାଉଥିବା ଓଁ ସାଇ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡିଛି । ବିଳମ୍ବିତ ରାତିରେ ବସଟି ଘାଟି ଚଢ଼ୁଥିବା ଏପରି ଦୁର୍ଘଟଣା ଘଟିଛି । ଫଳରେ ବସରେ ଥିବା ପ୍ରାୟ ୭ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ମୁକୁନ୍ଦପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀ ମାନଙ୍କୁ ଆଣି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଛି । ଦୁର୍ଘଟଣା ପରେ ବସ ଡ୍ରାଇଭର ଫେରାର ହୋଇଯାଇଛି ।

 

ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ଓଁ ସାଇ ବସ ଜୟପୁରରୁ ବାହାରିଥିଲା । ହେଲେ ରାୟଗଡ଼ା-ବ୍ରହ୍ମପୁର ଏନଏଚ-୩୨୬ର ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ତେବେ ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ, ସେଥିମଧ୍ୟରୁ ୭ ଜଣ ଗୁରୁତର ଅଛନ୍ତି । ତେବେ ଆହତ ଯାତ୍ରୀଙ୍କ ସୂଚନା ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି । ବାରମ୍ବାର କହିବା ସତ୍ତ୍ୱେ ଶୁଣିନଥିଲା ଏବଂ ବେପରୁଆ ଭାବେ ଗାଡ଼ି ଚଳାଉଥିଲା ଡ୍ରାଇଭର ।

You might also like