ହାଜର ହେଲେନି ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ଶାଶୂ ଘର ଲୋକ, ଘରେ ଲାଗିଲା ଲଟ୍‌କା

ସମ୍ବଲପୁର: ସମ୍ୱଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ ମୃତ୍ୟୁ ମାମଲାରେ ପୁଲିସ୍‌ ଖୋଳତାଡ଼ ଜୋରଦାର କରିଛି। ସିମ୍‌ରନ୍‌ଙ୍କ ଶାଶୂ ଘରେ ବୁର୍ଲା ପୁଲିସ୍‌ ଲଟ୍‌କା ଲଗାଇଛି।

ସିମ୍‌ରନ୍‌ଙ୍କ ଶାଶୂ ଘର ଲୋକଙ୍କୁ ପୁଲିସ୍‌ ନୋଟିସ୍‌ କରିଥିଲା। ତେବେ ଏହା ସତ୍ତ୍ୱେ ସେମାନେ ପୁଲିସ୍‌ ନିକଟରେ ହାଜର ହୋଇନଥିଲେ। ଫଳରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ସ୍ଥିତ ସିମ୍‌ରନ୍‌ଙ୍କ ଶାଶୂ ଘରେ ବୁର୍ଲା ପୁଲିସ୍‌ ଲଟ୍‌କା ଲଗାଇଛି। ଏଥିସହ ତାଙ୍କ ସ୍ୱାମୀ କୁହାଯାଉଥିବା ଧ୍ରୁବରାଜ ସୁନା ଓରଫ ୟୁଗ୍‌ଙ୍କ ଜଣେ ସମ୍ପର୍କୀୟଙ୍କୁ ହାଜର ହେବା ପାଇଁ ମଧ୍ୟ ନୋଟିସ୍‌ ହୋଇଛି।

ଅନ୍ୟପଟେ, ଗତ କିଛିଦିନ ତଳେ ଏହି ଘଟଣାରେ ସିମ୍‌ରନ୍‌ଙ୍କ ବାପାଙ୍କ ଅଭିଯୋଗ ଆଧାରରେ ବୁର୍ଲା ଥାନା ପୁଲିସ୍ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା।

ସେପଟେ ଏହି ଘଟଣାରେ ସିମ୍‌ରନ୍‌ଙ୍କ ସ୍ୱାମୀ କୁହାଯାଉଥିବା ଧ୍ରୁବରାଜ ସୁନା ଓରଫ ୟୁଗ୍‌ଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସୂଚନାଥାଉ କି, ଗତ ଜାନୁଆରୀ ୩ ତାରିଖ ଦିନ ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତ ବେଳେ ସମ୍ପୃକ୍ତ ଯୁବତୀଙ୍କ ନାଁ ସିମ୍‌ରନ୍‌ ଓ ସେ ଜଣେ ଆଲ୍‌ବମ୍‌ ଅଭିନେତ୍ରୀ ବୋଲି ଜଣାପଡ଼ିଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା

ପଶ୍ଚିମ ଓଡ଼ିଶାରେ ସିମରନ୍‌ ଜଣେ ଲୋକପ୍ରିୟ ଆଲ୍‌ବମ୍‌ ଅଭିନେତ୍ରୀ। ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍‌ ‘ସେଲ୍ଫି ବେବୋ’ ଜରିଆରେ ପଶ୍ଚିମ ଓଡ଼ିଶାର ଘରେଘରେ ପରିଚିତ ହୋଇ ପାରିଥିଲେ। ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍‌ ହେଉଛି ‘ରିକ୍ସାବାଲା ରିଟର୍ଣ୍ଣ’।

You might also like