ମଇଁଷି ମଡ଼କ; ସପ୍ତାହକ ମଧ୍ୟରେ ମଲେଣି ୨୫

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ ଅଞ୍ଚଳରେ ମଇଁଷି ମଡ଼କ। ସପ୍ତାହକ ମଧ୍ୟରେ ପ୍ରାୟ ୨୫ରୁ ଅଧିକ ମଇଁଷି ମଲେଣି। ସ୍ଥାନୀୟ ଲୋକେ ଏହାକୁ ଅଜଣା ରୋଗ କହୁଥିବାବେଳେ ନିମୋନିଆରେ ଆକ୍ରାନ୍ତ ହୋଇ ମଇଁଷୀଙ୍କ ମୃତ୍ୟୁ ଘଟିଥିବା କହିଛି ପ୍ରାଣୀଧନ ବିଭାଗ । ମଇଁଷୀଙ୍କ ଟୀକାକରଣ କରାଯାଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି ।

ଗରଦପୁର ବ୍ଲକର ତାରଡ଼ ଗାଁରେ ଅଧିକାଂଶ ଲୋକ ମଇଁଷି ଚାଷ କରନ୍ତି। ପ୍ରାୟ ୩୦ଟି ପରିବାର ମିଶି ପାଳିଛନ୍ତି ୫ଶହରୁ ଅଧିକ ମଇଁଷି। ଋଣ କରି ମଇଁଷି କିଣି ପାଳିଛନ୍ତି ଏମାନେ। ଏମାନଙ୍କ ପରିବାରର ସମ୍ବଳ କହିଲେ ମଇଁଷି । ହେଲେ ଗତ ଏକ ସପ୍ତାହ ହେଲା ଏହି ପରିବାରରେ ଚୁଲି ଜଳୁନି। ଆଖିରୁ ନିଦ ହଜି ଯାଇଛି। କେମିତି ଚଳିବ ପରିବାର। କେମିତି ସୁଝିବେ ଋଣ।

କାରଣ ଗତ ଏକ ସପ୍ତାହ ହେଲା ଗାଁରେ ପଡ଼ିଛି ମଇଁଷି ମଡ଼କ। ଅଜଣା ରୋଗରେ ଗୋଟିଏ ପରେ ଗୋଟିଏ ମଇଁଷି ମରି ଯାଉଛନ୍ତି। ଗୋଟିଏ ବା ଦୁଇଟି ନୁହେଁ, ସପ୍ତାହକରେ ମଲେଣି ୨୫ ମଇଁଷି। ପ୍ରଥମେ ମଇଁଷିଙ୍କ ପାଟିରୁ ଲାଳ ବାହାରୁଛି। ତା’ପରେ ଜ୍ୱର ଆସୁଛି। କିଛି ସମୟ ପରେ ମଇଁଷି ତଳେ ପଡ଼ି ଯାଉଛନ୍ତି। ସେମାନଙ୍କ ଗଳା ଫୁଲି ଯାଉଛି। ୨୪ ଘଣ୍ଟା ମଧ୍ୟରେ ପ୍ରାଣ ହରାଉଛନ୍ତି ମଇଁଷି।

ଏତେ ମଇଁଷି ମରି ଯାଉଥିବା ଦେଖି ଗାଁରେ କାନ୍ଦବୋବାଳି ପଡ଼ିଛି। କେମିତି ନିଜର ଗୃହପାଳିତ ପଶୁଙ୍କ ଜୀବନ ବଞ୍ଚାଇବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷେ ଆଜିଯାଏ ପ୍ରାଣୀ ଚିକିତ୍ସକଙ୍କ ପାଦ ଗାଁରେ ପଡ଼ିନି। ପ୍ରାଣୀଧନ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ସେ ଏଠାକୁ ଆସୁନଥିବା ଲୋକେ ଅଭିଯୋଗ କରିଛନ୍ତି ।

ତେବେ ମଇଁଷି ମଡ଼କର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି କେନ୍ଦ୍ରାପଡା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ।  ସେ  ମଇଁଷିମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତେବେ  ରୋଗକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରିନାହିଁ।  ଆଗକୁ ସମସ୍ତ ମଇଁଷିଙ୍କ ଟୀକାକରଣ ସହ ଗାଁରେ ସ୍ୱତନ୍ତ୍ର ଟିମ ରହି ଚିକିତ୍ସା କରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରାଣୀଧନ ଅଧିକାରୀ।

You might also like