ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ; ଗାଡ଼ି ଚଳାଚଳ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରୁ ଆରମ୍ଭ ହେବ ଗୃହ। ୨୨ ତାରିଖରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଏଥରର ବଜେଟ୍ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇପାରେ ।

କୋଟିଆ ବିବାଦ ସହ ସୀମାବର୍ତ୍ତୀ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ, ମଣ୍ଡି ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ପରୀ ହତ୍ୟା, ମାହାଙ୍ଗା ଡବଲ ମର୍ଡର, ବିପଯର୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଖଣି ଦୁର୍ନୀତି, DMFର ଅପବ୍ୟବହାର, ଆବାସ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗ ସ୍ଥାନ ପାଇପାରେ ।

NMA ବାଇ-ଲକୁ ନେଇ ଦେଖାଦେଇଥିବା ବିବାଦ ର ପ୍ରକୃତ ତଥ୍ୟ ଗୃହରେ ରଖିବ ଦଳ । କଂଗ୍ରେସ ବି ଉଭୟ ବିଜେପି ଓ ଶାସକ ବିଜେଡିକୁ ଘେରିବାକୁ ପ୍ରସ୍ତୁତ କରିଛି ରଣନୀତି । ଦୁର୍ବଳ ନେତୃତ୍ୱ ପାଇଁ ଅାନ୍ଧ୍ର ଓଡ଼ିଶାର ଜମି, ପଶ୍ଚିମବଙ୍ଗ ବାଲି ଓ ଛତିଶଗଡ ପାଣି ନେଉଥିବା କଥା ଉଠାଇବ ଦଳ । ଏହାବାଦ୍‌ ମଣ୍ଡି ଅବ୍ୟବସ୍ଥା, ଚାଷୀ ସମସ୍ୟା, ବେକାରୀ, ପାନୀୟ ଜଳ ସମସ୍ୟା ଓ ଆଞ୍ଚଳିକ ବୈଷମ୍ୟ କଥା ଉଠାଇବ କଂଗ୍ରେସ୍ । ସେହିପରି ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ୍ ଦର ବୃଦ୍ଧିକୁ ବି ପ୍ରମୁଖ ପ୍ରସଙ୍ଗ କରିବାକୁ ଯାଉଛି ଦଳ ।

ସେପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କ ସବୁ ପ୍ରସଙ୍ଗର ମୁକାବିଲା କରିବାକୁ ପ୍ରସ୍ତୁତ କରିଛି ରଣନୀତି । ୨୭ରେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ପର୍ଯ୍ୟାୟ ଚାଲିବ । ଗୃହକାର୍ଯ୍ୟ ପୂର୍ବାହ୍ନ ୧୦ଟା ୩୦ରୁ ଦେଢଟା ପର୍ଯ୍ୟନ୍ତ ଏବଂ ଅପରାହ୍ନରେ ୪ଟାରୁ ୬ଟା ପର୍ଯ୍ୟନ୍ତ  ଚାଲିବ।  ସ୍ୱତନ୍ତ୍ର ଦିନମାନଙ୍କରେ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଅଧିବେଶନ ଚାଲିବ।

ବିଧାନସଭା ଅଧିବେଶନକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ମୋଟରଯାନ ଚଳାଚଳ ଉପରେ କଟକଣା କରାଯାଇଛି । ବିଧାନସଭା ସଂଲଗ୍ନ ରାସ୍ତାଗୁଡିକରେ ନିରାପତ୍ତାକୁ ଦୃଷ୍ଟିରେ ରଖି ଏସବୁ କଟକଣା କାର୍ଯ୍ୟକାରୀ କରାଯାଇଛି। ଆଜିଠାରୁ ବିଧାନସଭାର କାର୍ଯ୍ୟଦିବସ ଗୁଡିକରେ ଲାଗୁ ହେବ କଟକଣା। ୧୨୦ ବାଟାଲିୟନ ଛକପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଗାଡି ପାଓ୍ୱାର ହାଉସ ଛକ ଦେଇ ଯିବ ।

ସେହିପରି ଏଜି ଛକଠାରୁ ପିଏମଜି ଛକ ଆଡକୁ ଆସୁଥିବା ଗାଡି ଜୟଦେବ ଭବନରେ ଅଟକି ଡାହାଣକୁ ଯାଇ ଇନ୍ଦିରାଗାନ୍ଧୀ ପାର୍କ ରାସ୍ତାରେ ଆଗକୁ ଯିବ । ରାଜଭବନ ଛକପଟୁ ଏମଏଲଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଯାଉଥିବା ଗାଡିଗୁଡିକ ଶାସ୍ତ୍ରୀ ନଗର ଆଡକୁ ଯିବ । ମାଷ୍ଟରକ୍ୟାଣ୍ଟିନ ପଟୁ ଲୋୟର ପିଏମଜି ଆଡକୁ ଆସୁଥିବା ସମସ୍ତ ଗାଡି ଉପରେ ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ଦେଇ ଯାଇପାରିବେ ।

କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବନି । ହାଉସିଂ ବୋର୍ଡ ପଟୁ ଆସୁଥିବା ଗାଡି କେଶରୀ ଟକୀଜଠାରୁ ଆଗକୁ ନଯାଇ ବାମପଟ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବ। ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ ଦପ୍ତରକୁ ଯାଉଥିବା ଅଧିକୃତ ଗାଡି ପାଇଁ ଲାଗୁ ହେବନି।

ବିଧାନସଭା ଆଗରେ ଗତକାଲି ଆତ୍ମଦାହ ଉଦ୍ୟମ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଛି। ଏସବୁକୁ ରୋକିବା ଏବେ କମିଶନରେଟ୍ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ପଡ଼ିଛି। ତେଣୁ ଏଥର ଅଧିବେଶନ ସମୟରେ ସେଭଳି ଅପ୍ରୀତିକର ସ୍ଥିତି ରୋକିବାକୁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି।  ବିଧାନସଭାକୁ ସଂଯୋଗ କରୁଥିବା କିଛି ରାସ୍ତାରେ କଟକଣା ଜାରି କରାଯାଇଛି ।

କଟକଣା ଆଜିଠାରୁ ଆରମ୍ଭ କରି ବିଧାନସଭାର କାର୍ଯ୍ୟଦିବସ ଗୁଡ଼ିକରେ ଲାଗୁ ହେବ । ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମରୁ ନିବୃତ୍ତ ରହିବାକୁ ଲୋକଙ୍କୁ ପୋଲିସ୍ କମିଶନର ଅପିଲ୍ କରିଛନ୍ତି । ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ମୋଟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଗୁଇନ୍ଦା ବିଭାଗର କର୍ମଚାରୀ ସାଦା ପୋଷାକରେ ମୁତୟନ ରହିବେ । ଏଥିସହ ଅଧିବେଶନ ବେଳେ ଲୋୟର ପିଏମଜିରେ  ବିକ୍ଷୋଭକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି ।

 

You might also like