ହତ୍ୟା ଅଭିଯୁକ୍ତ ହାତରେ କୋଟି କୋଟି ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ୱର: ହତ୍ୟା ଅଭିଯୁକ୍ତଙ୍କଠାରୁ ମିଳିଲା ସାଢ଼େ ୩ କୋଟିର ବ୍ରାଉନସୁଗାର। ଖୋର୍ଦ୍ଧା ପୋଲିସ୍ ହାତରେ ଧରାପଡ଼ିଛି ଦଧିମାଛଗାଡ଼ିଆ ହତ୍ୟାକାଣ୍ଡର ଅଭିଯୁକ୍ତ, ଯାହାଠୁ ମିଳିଛି ୩ କେଜି ୬୦୨ ଗ୍ରାମ ବ୍ରାଉନସୁଗାର। ଆଜି ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ DIG ଆଶିଷ ସିଂହ।

ଜୁନ ୧୫ ହତ୍ୟାକାଣ୍ଡ ପରଠୁୁ ଅଭିଯୁକ୍ତ ଫେରାର ଥିଲା। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରିଥିଲା। ତେବେ ଅଭିଯୁକ୍ତ ଗିରଫ ହେବା ପରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ବ୍ରାଉନସୁଗାର ବାଲେଶ୍ୱରରୁ ଅଣା ଯାଇଥିଲା। ଏହାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରାଯିବା ଯୋଜନା ଥିବା ଜଣାପଡ଼ିଛି। ଅଭିଯୁକ୍ତଠାରୁ ମାଉଜର୍ ସମେତ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି।

କେନ୍ଦ୍ରାଞ୍ଚଳ ଡିଆଇଜି କହିଛନ୍ତି ଯେ ମନୋରଞ୍ଜନ ପାଖରୁ ବ୍ରାଉନସୁଗର ସମେତ ଗୋଟିଏ ମାଉଜର, ଗୁଳି ଓ ବାଇକ୍ ମଧ୍ୟ ଜବତ  କରାଯାଇଛି। ଅଭିଯୁକ୍ତ ଏହି ମାଉଜରକୁ ହତ୍ୟାକାଣ୍ଡରେ ବ୍ୟବହାର କରିଥିଲା।

ମନୋରଞ୍ଜନକୁ କୋର୍ଟ ଚାଲାଣ କରିବା ପରେ ତାଙ୍କୁ ରିମାଣ୍ଡରେ ଅଣାଯିବ। ଏହି ଘଟଣାରେ କେଉଁ ମାନେ ସମ୍ପୃକ୍ତ ଅଭିଯୁକ୍ତକୁ ପଚରାଉଚରା ପରେ ଜଣାପଡ଼ିବ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି କହିଛନ୍ତି।

 

You might also like