ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳ ଏବେ ଡ୍ରଗ୍ସ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ସହରର ବିଭିନ୍ନ ସ୍ଥାନରେ ଅବାଧ ବ୍ରାଉନସୁଗାର ମିଳୁଛି। ଏହା ଅନାୟସରେ ମିଳୁଥିବାରୁ ଯୁବପୀଢ଼ି ଓ ଛାତ୍ରମାନେ ନିଶାଗ୍ରସ୍ତ ହେଉଛନ୍ତି। ଗତବର୍ଷ ଜଳେଶ୍ୱର ପୋଲିସ ୧ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ଟି ମାମଲା ରୁଜୁ କରିଥିଲା। ହେଲେ ଏ ବର୍ଷ ଆରମ୍ଭରୁ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇସାରିଲାଣି। ପଶ୍ଚିମବଙ୍ଗକୁ ସୀମା ଲାଗିଥିବାରୁ ନିଶାବେପାରୀଙ୍କ ହବ୍ ହୋଇଛି ଜଳେଶ୍ୱର।

ନିଶା କବଳରେ ପଡ଼ିଛନ୍ତି ଯୁବପିଢି। ରାତାରାତି କୋଟିପତି ହେବାର ନିଶାରେ ଡ୍ରଗ୍ସ କାରବାରର ଦୁନିଆ ଭିତରେ ପଶି ଯାଉଛନ୍ତି ଯୁବପୀଢି। ଓଡିଶା-ପଶ୍ଚିମବଙ୍ଗ ସୀମାରେ ଥିବା ବାଲେଶ୍ୱର ଜିଲାର ଜଳେଶ୍ୱର ସହର ଦେଇ ଜାତୀୟ ରାଜପଥ ଓ ରେଳ ଲାଇନ ଯାଇଥିବାରୁ ଖୁବ୍ ସହଜରେ ଧଳା ଜହର କାରବାର ହେଉଛି। ରାଜପୁର, ଝାଡେଶ୍ୱରପୁର,ଶେଖବାଡ଼ ଅଞ୍ଚଳରେ ବେଧଡକ ଚାଲିଛି ଧଳା ଜହର କାରବାର। ଏସ୍ଟିଏଫ୍, ଅବକାରୀ ବିଭାଗ ଓ ପୋଲିସର ବାରମ୍ବାର ଚଢ଼ଉ ସତ୍ତ୍ୱେ ବେପାର କମୁନାହିଁ ବରଂ ମହିଳା, ନାବାଳକ ଓ ଛାତ୍ରଙ୍କ ଦ୍ୱାରା କାରବାର କରାଉଛନ୍ତି ବେପାରୀ। ଗତବର୍ଷ ୧ କିଲୋଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ ଚଳିତ ବର୍ଷ ୩୦୦ ଗ୍ରାମ ଜବତ ହୋଇଥିବା ନେଇ ସୂଚନା ମିଳିଛି।

ଏହାକୁ ନେଇ ଜଳେଶ୍ୱର ଆଇଆଇସି କହିଛନ୍ତି ଯେ, ଯେଉଁ ସମୟରେ ବ୍ରାଉନ ସୁଗାରକୁ ନେଇ କୌଣସି ଅଭିଯୋଗ କିମ୍ବା ଖବର ମୋ ପାଖକୁ ଆସିଛି। ଆମେ ସାଙ୍ଗେ ସାଙ୍ଗେ ତାହାକୁ ନେଇ ତଦନ୍ତ କରିଛୁ ଓ ରେଡ୍‌ ମଧ୍ୟ କରିଛୁ। ଆଗାମୀ ଦିନରେ ଚଢାଉ ଜୋରସୋରରେ ହେବ ଏବଂ କେମିତି ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲାଗିବ ସେନେଇ ଆମେ କାମ କରୁଛୁ ବୋଲି ଆଇଆଇସି କହିଛନ୍ତି।

ଧଳା ଜହର ବ୍ୟବସାୟୀମାନେ ବ୍ରାଉନସୁଗାର ବିକିବା ଲାଗି ବିଭିନ୍ନ କୋଡ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଗାଁ ଗହଳିରେ ଟିକା, ମାଲ୍, ପାଉଡର, ବସ୍ତା ନାଁରେ ବିକ୍ରି ହେଉଛି ବ୍ରାଉନସୁଗାର। ବାଙ୍ଗଲାଦେଶରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ୍, ବାଙ୍କୁରା, ଖଡ଼ଗପୁର ହୋଇ ଟ୍ରେନ ଓ ୬୦ ନମ୍ବର ଜାତୀୟ ରାଜପଥରେ ଜଳେଶ୍ୱରରେ ପଶୁଛି ଡ୍ରଗ୍ସ। ଏହାପରେ ବାଲେଶ୍ୱର, ଭୁବନେଶ୍ୱର ଓ ଖୋର୍ଦ୍ଧା ସମେତ ଅନ୍ୟ ସ୍ଥାନକୁ ଚାଲାଣ ହେଉଛି।

ନିଶାଗ୍ରସ୍ତ ହୋଇ ଯାଉଥିବା ଯୁବପୀଢ଼ି ଡ୍ରଗ୍ସ କିଣିବା ଲାଗି ଟଙ୍କା ନ ମିଳିବାରୁ ଚୋରି, ଛିନତାଇ ଓ ଡକାୟତି ଭଳି ଅପରାଧ ଘଟାଉଛନ୍ତି। ଧଳା ଜହର ସେବନ କରି ବରବାଦ ହେଉଥିଲେ ବି ଯୁବପୀଢି ଏହାର କବଳରୁ ମୁକୁଳି ପାରୁନାହାନ୍ତି।

Other Stories