ଗଳିକନ୍ଦିରେ ମିଳୁଛି ଧଳା ଜହର : ବ୍ରାଉନ ସୁଗାର କବଳରେ ଢେଙ୍କାନାଳ
କଲେଜ ଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି ବେପାରୀ
ଢେଙ୍କାନାଳର ଗଳିକନ୍ଦିରେ ମିଳୁଛି ଧଳା ଜହର
ବେଧଡକ ଚାଲିଛି ନିଶା କାରବାର
କଲେଜ ଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି ବେପାରୀ
ଢେଙ୍କାନାଳ( ରାଜଶ୍ରୀ ଶତପଥୀ): ହାତପାହାନ୍ତାରେ ମିଳୁଛି ବ୍ରାଉନସୁଗାର । ଗଳି କନ୍ଦିରେ ଚାଲିଛି ବେପାର । ଢେଙ୍କାନାଳରେ ଧଳା ଜହର କବଳରେ ପଡିଗଲେଣି ଯୁବପୀଢି । ବିଭିନ୍ନ ପରିତ୍ୟକ୍ତ ଘରେ ବେଧଡକ ବ୍ରାଉନସୁଗାର ମିଳୁଛି । ବଡ କଥା ହେଉଛି ପୋଲିସ ବାରମ୍ବାର ରେଡ୍ କରି ବ୍ରାଉନସୁଗାର ଜବତ କରୁଥିଲେ ମଧ୍ୟ ଲଗାମ ଲାଗିପାରୁନି ନିଶା କାରବାର ଉପରେ ।
ବ୍ରାଉନସୁଗାରର ବୁଢିଆଣୀ ଜାଲରେ ଛନ୍ଦି ହୋଇ ନିଶା କରୁଛନ୍ତି ଯୁବକ । ଧଳା ଜହରର ପୁଡିଆ ଖୋଲି ରଖାଯାଉଛି ସିଲଭର ପେପର ଉପରେ, ଆଉ ତା’ ପରେ ସେଥିରେ ନିଆଁ ଲଗାଇ ସିଗାରେଟରେ ଟାଣୁଛନ୍ତି ଯୁବକ । ନିଶା ନେବାର ଏପରି ଦୃଶ୍ୟ ଆଶ୍ଚର୍ଯ୍ୟ କରିଦେଉଛି । ଢେଙ୍କାନାଳ ସହରର ଏମିତି ଅନେକ ପରିତ୍ୟକ୍ତ ଘର ଅଛି, ଯେଉଁଠି ବେଧଡକ ଚାଲିଛି ନିଶା କାରବାର । କଲେଜ ଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି ବେପାରୀ । ଥରେ ନିଶାସକ୍ତ ହୋଇଗଲେ ଚଢା ଦରରେ ବିକ୍ରି କରାଯାଉଛି । ଆଉ ଏହାକୁ କିଣିବାକୁ ଯାଇ ବିଭିନ୍ନ ଅନୈତିକ କାର୍ଯ୍ୟରେ ପଡିଯାଉଛନ୍ତି ଯୁବପୀଢି ।
ପୋଲିସ ଚଢାଉ କରୁଛି, ବ୍ରାଉନ ସୁଗାର ବେପାରୀଙ୍କୁ ଧରୁଛି। କେବଳ ଛୋଟମୋଟ ବେପାରୀ ଧରି ପୁଲିସ ବାହାବା ନେଉଛି। ମାତ୍ର ବଡ଼ ବେପାରୀଙ୍କ ପାଖରେ ପହଞ୍ଚି ପାରିନାହିଁ। ଫଳରେ ପ୍ରତ୍ୟେକ ବର୍ଷ ବ୍ରାଉନସୁଗାର କାରବାର ଜନିତ ମାମଲା ବଢ଼ି ବଢ଼ି ଚାଲିଛି।