ବାହା ବେଦୀରୁ ଫେରାର ହୋଇଗଲେ ବଡ଼ ଭଉଣୀ, ସାନ ଭଉଣୀକୁ ବାହା ହୋଇ ଯୁବକ ହଟ୍ଟହଟ୍ଟା

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ବାହା ହେବା ପାଇଁ ଆସିଥିଲେ। ବର, ବରଯାତ୍ରୀ, ରୋଷଣୀ, ବାଣ ନେଇ ଆସିଥିଲେ। ହେଲେ ବାହା ହେବେ କ’ଣ ହଟହଟ୍ଟା ହେଲେ। ପୁଣି ଥରେ ନୁହେଁ, ଦୁଇ ଦୁଇ ଥର। ପ୍ରଥମେ ବାହା ହେବାକୁ ଆସି ଶୁଣିଲେ କନିଆ ଫେରାର। ଶେଷରେ ତାଙ୍କର ନାବାଳିକା ସାନ ଭଉଣୀକୁ ବାହା  ହେବାକୁ ବସିଲେ ଯେ, ପୋଲିସ ପହଞ୍ଚି ବାହାଘର ଅଟକାଇଥିଲା। ଏମିତି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ।

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅନ୍ତର୍ଗତ ତେନ୍ତୁଳି ଖୁଣ୍ଟି ଗାଁରେ ଏହି ଘଟଣା ଘଟିଛି। ଗତକାଲି ରାତିରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ତେନ୍ତୁଳିଖୁଣ୍ଟି ଗାଁକୁ ବିବାହ କରିବାକୁ ଯାଇଥିଲେ। ବାଜା ବାଣ ରୋଷଣୀ ସହ ବର ଶୋଭା ଯାତ୍ରା କରି କନ୍ୟା ଘରେ ପହଞ୍ଚିଥିଲା। ହେଲେ କନ୍ୟା ବାହା ବେଦୀରୁ ଫେରାର ହୋଇଯାଇଥିଲେ। ଫଳରେ ସମ୍ପୃକ୍ତ ଯୁବତୀଙ୍କ ନାବାଳିକା ସାନ ଭଉଣୀଙ୍କୁ ଯୁବକ ଜଣକ ବିବାହ କରି ଘରକୁ ଫେରିଥିଲେ।

କୌଣସି ସୂତ୍ରରୁ ଖବର ପାଇ ଜୟପାଟଣା ସିଡିପିଓ ଓ ଜୟପାଟଣା ପୋଲିସ ନାବାଳିକାଙ୍କ ଶାଶୂ ଘର ତେନ୍ତୁଳି ଖୁଣ୍ଟି ଗାଁରେ ପହଞ୍ଚିଥିଲେ। ସେଠାରୁ ପୋଲିସ୍‌ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଥିଲେ।

ଜୟପାଟଣା ସିଡିପିଓ ଜୟନ୍ତୀ ବେହେରାଙ୍କ କହିବା ଅନୁଯାୟୀ, ନାବାଳିକା ଜଣକ ଯଦି ଚାହିଁବେ ତାଙ୍କୁ ଆମେ ହଷ୍ଟେଲ୍‌ରେ ରଖିବାର ବ୍ୟବସ୍ଥା କରିବୁ। କିନ୍ତୁ ଝିଅର ବାପା-ମା’ ତାଙ୍କୁ ଘରେ ରଖିବାକୁ ଚାହୁଁଛନ୍ତି।

You might also like