୧୦୮ ଆମ୍ବୁଲାନ୍ସ ପାଇଁ ଲାଞ୍ଚ

ପଦାକୁ ଆସିଲା ଲାଞ୍ଚ କାରବାରର ଆଉ ଏକ ଭାଇରାଲ୍ ଭିଡ଼ିଓ

ଜଳେଶ୍ୱର : ଲାଞ୍ଚ କାରବାରର ଆଉ ଏକ ସାଂଘାତିକ ଭିଡ଼ିଓ। ଏଥର ସାମ୍ନାକୁ ଆସିଛି ୧୦୮ ସରକାରୀ ଆମ୍ବୁଲାନ୍ସ କର୍ମଚାରୀଙ୍କ ଲାଞ୍ଚ କାରବାରର ଭାଇରାଲ୍ ଭିଡ଼ିଓ। ରୋଗୀଙ୍କୁ ମେଡ଼ିକାଲ୍ ନେବା ପାଇଁ ଡ୍ରାଇଭର, ହେଲପର୍ ଏବଂ ଫାର୍ମାସିଷ୍ଟ କେମିତି ଲାଞ୍ଚ ନେଉଛନ୍ତି ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ, ତାହାର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏ ଭିଡ଼ିଓଟି ହେଉଛି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରର।  ଭୋଗରାଇ ଅଞ୍ଚଳର ଜଣେ ରୋଗୀଙ୍କୁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର ଦେଇଥିଲେ ପରାମର୍ଶ । ଏହାପରେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରି ସଂପୃକ୍ତ ଡ୍ରାଇଭରଙ୍କ ସହ କଥାବାର୍ତ୍ତା କରିଥିଲେ ରୋଗୀଙ୍କ ସମ୍ପର୍କୀୟ ଜଣକ। କିନ୍ତୁ ଏ ବାବଦକୁ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ ଡ୍ରାଇଭର। ତେବେ ରୋଗୀଙ୍କ ସମ୍ପର୍କୀୟ ୫ ଶହ ନେବାକୁ ନେହୁରା ହୋଇଥିଲେ।

କିନ୍ତୁ ହଜାରେ ନଦେଲେ ଗାଡ଼ି ଗଡ଼ିବ ନାହିଁ କହିବା ସହ ଅନ୍ୟ ପ୍ରାଇଭେଟ୍ ଗାଡ଼ିରେ ସାଢ଼େ ୩ରୁ ୪ ହଜାର ପଡୁଥିବା କହିଥିଲେ ଡ୍ରାଇଭର ଜଣକ । ଶେଷରେ ଆମ୍ବୁଲାନ୍ସର ଡ୍ରାଇଭର, ହେଲ୍‌ପର ଏବଂ ଫାର୍ମାସିଷ୍ଟ ପିଛା ୨ଶହ ଟଙ୍କା ହିସାବରେ ୬ ଶହ ଟଙ୍କା ଦେବାକୁ ରାଜି ହୋଇଥିଲେ ରୋଗୀଙ୍କ ସମ୍ପର୍କୀୟ। ଏହାପରେ ଆମ୍ବୁଲାନ୍ସ ଭିତରେ ଫାର୍ମାସିଷ୍ଟଙ୍କୁ ରୋଗୀଙ୍କ ସମ୍ପର୍କୀୟ ୬ଶହ ଟଙ୍କା ଦେବା ପରେ ଫାର୍ମାସିଷ୍ଟ ଡ୍ରାଇଭରଙ୍କୁ ବଢ଼ାଇଦେଇଥିଲେ ।

ଯାହାର ପ୍ରତିଟି ଚିତ୍ରକୁ କଏଦ୍ କରିଥିଲେ ରୋଗୀଙ୍କ ଅନ୍ୟ ଜଣେ ସମ୍ପର୍କୀୟ । ତେବେ ଏନେଇ ସଂପୃକ୍ତ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ବାଲେଶ୍ୱର ମେଡ଼ିକାଲ ଅଧିକ୍ଷକ କହିଛନ୍ତି ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ହେବ।

You might also like