ଓଟିଭିକୁ ବିଧାନସଭା ସ୍ୱାଧିକାର କମିଟିର ସମନ୍

ଭୁବନେଶ୍ୱର :  ଓଟିଭି ବିରୋଧରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଆଣିଥିବା ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ନେଇ ବିଧାନସଭା ସ୍ୱାଧିକାର କମିଟିର ସମନ୍। ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ଆସନ୍ତା ୨୮ ତାରିଖରେ ବିଧାନସଭା ସ୍ୱାଧୀକାର କମିଟି ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ସମନ ଜାରି କରିଛି ବିଧାନସଭା ସଚିବାଳୟ।

ଆଜି ବସିଥିବା ସ୍ୱାଧିକାର କମିଟି ବୈଠକର ନିଷ୍ପତ୍ତି ଆଧାରରେ ବ୍ୟକ୍ତିଗତ ଶୁଣାଣିର ସୁଯୋଗ ଦେବାକୁ ଏହି ସମନ ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି। ଗତ ନଭେମ୍ବର ୧୯ ତାରିଖରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣକୁ ନେଇ ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଅଣାଯାଇଥିଲା। ତେବେ ଏ ନେଇ ଓଟିଭି ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ରାଜନୈତିକ ଆକ୍ରୋଶ ରଖି ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ ବୋଲି ପ୍ରତିବାଦ କରି ରାଜ୍ୟପାଳଙ୍କୁ ହସ୍ତକ୍ଷେପ ପାଇଁ ନିବେଦନ କରିବା ସହ ବିଧାନସଭା ସ୍ୱାଧିକାର କମିଟି ପଠାଇଥିବା ନୋଟିସ୍‌ର ମଧ୍ୟ ଜବାବ୍ ରଖିଥିଲା।

ନଭେମ୍ବର ୧୯ରେ ସରକାରୀ ଦଳକୁ ସୁହାଇଲା ଭଳି ରଣନୀତି ଅନୁସାରେ ବାଚସ୍ପତି ଗୃହ ପରିଚାଳନା କରିଥିବା ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଥିଲେ। ପ୍ରଶ୍ନ କାଳରେ ବିଧାନସଭା ସଚିବ ଅମୀୟ କୁମାର ଷଡ଼ଙ୍ଗୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ଆଲୋଚନା କରିବା ପରେ ବାଚସ୍ପତିଙ୍କ ନିକଟକୁ ଯାଇ ଗୃହକୁ ୩ଟା ଯାଏଁ ମୁଲତବୀ ରଖିବା ଲାଗି କହିବା ଓ ସିଧାପ୍ରସାରଣ ଚାଲିଥିବାରୁ ଏହା ମାଇକ୍ ଯୋଗେ ଶୁଣାଯିବା ଖବର ସଂପୂର୍ଣ୍ଣ ତଥ୍ୟଭିତ୍ତିକ ଭାବେ ଭିଜୁଆଲ୍ ସହ ଓଟିଭି ପ୍ରସାରଣ କରିଥିଲା। ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିବା ତାରା ବାହିନୀପତି ଓ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ କ୍ୟାମେରା ଆଗରେ ଗୃହରେ ଏଭଳି ଘଟିଥିବା ନେଇ ପ୍ରତିକ୍ରିୟା ଦେଇଥିଲେ।

ଏମିତିକି ବାଚସ୍ପତିଙ୍କ ବିରୋଧରେ ଧୃତରାଷ୍ଟ୍ର ଓ ନିଦାବିଷ୍ଣୁ ଭଳି ଶବ୍ଦ ପ୍ରୟୋଗ କରିଥିଲେ ଓଟିଭି ବିରୁଦ୍ଧରେ ସ୍ୱାଧୀକାର ନୋଟିସ୍ ଆଣିଥିବା ନିଜେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି।

You might also like