୩ ବର୍ଷର ଛୁଆ ଦେହରେ ରହିଗଲା ଭଙ୍ଗା ସିରିଞ୍ଜ ଛୁଞ୍ଚି

ଅନୁଗୁଳ: ସରକାରୀ ମେଡିକାଲରେ ଚିକିତ୍ସାରେ ଅବହେଳା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏକ ୩ ବର୍ଷର ଶିଶୁକୁ ଇଞ୍ଜେକ୍ସନ ଦେବା ବେଳେ ଦେହରେ ସିରିଞ୍ଜର ଛୁଞ୍ଚି ଭାଙ୍ଗି ରହି ଯାଇଥିଲା। କିଛିଦିନ ପରେ ପିଲାଟିକୁ ଅସହ୍ୟ ଯନ୍ତ୍ରଣା ହେବାରୁ ଦେହରୁ ଭଙ୍ଗା ସିରିଞ୍ଜ ଛୁଞ୍ଚି ବାହାରିଥିଲା। ଅନୁଗୁଳ ଜିଲ୍ଲା ଏପରି ଏକ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ଅନୁଯାୟୀ, ମୋହନଖଳି ଗାଁର ସୀତାକାନ୍ତ ପଣ୍ଡାଙ୍କ ୩ ବର୍ଷର ପୁଅ ସ୍ୱୟଂଜିତଙ୍କୁ କିଛି ଦିନ ପୂର୍ବେ ଜ୍ୱର ହୋଇଥିଲା। ଡାକ୍ତରଙ୍କୁ ଦେଖାଇବା ପାଇଁ ପରିବାର ଲୋକେ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଶିଶୁକୁ ଦେଖି ଇଞ୍ଜେକ୍ସନ ଓ ମେଡିସିନ୍‌ ଲେଖିଥିଲେ। ମେଡିକାଲରେ ଥିବା ନର୍ସ ପିଲାଟିକୁ ଇଞ୍ଜେକ୍ସନ ଦେଇଥିଲେ। କିନ୍ତୁ ଛୁଞ୍ଚିଟି ଭାଙ୍ଗି ପିଲାଟି ଦେହରେ ରହି ଯାଇଥିଲା। ଏନେଇ ପରିବାର ଲୋକେ କିଛି ଜାଣିପାରି ନ ଥିଲେ।

କିଛି ଦିନ ପରେ ପିଲାଟିର ଅସହ୍ୟ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାକୁ ଧରି ମେଡିକାଲକୁ ଆଣିଥିଲେ। ଆଣ୍ଟିବାୟୋଟିକ ଦିଆଯାଇଥିବାରୁ ପୀଡା ହେଉଛି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ହେଲେ ଆଜି ସକାଳେ ପିଲାଟି ଦେହରୁ ଛୁଞ୍ଚିଟି ଫୁଟି ବାହାରିବାରୁ ଘଟଣା ସାମ୍ନାକୁ ଆସିଥିଲା। ପିଲାଟିକୁ ଆଜି ପୁଣି ଚିକିତ୍ସା ପାଇଁ ମାଧପୁର ଆଣିବା ପରେ ସେଠାରେ ଡାକ୍ତର ଛୁଞ୍ଚିଟି ବାହାର କରି ଦେଇଛନ୍ତି। ଅଧିକ ଚିକିତ୍ସା ପାଇଁ ଶିଶୁଟିକୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

You might also like