ମାରାତ୍ମକ ବଙ୍ଗ ଭୂତାଣୁ: ଯଦି ରାଜ୍ୟକୁ ଆସେ ତେବେ…

ଚିନ୍ତା ବଢାଇବ କି ବଙ୍ଗ?

  • ଓଡ଼ିଶାରେ ବେଙ୍ଗଲ ଷ୍ଟ୍ରେନ୍ ବିପଦ
  • ରୋକିବାକୁ ବାଲେଶ୍ୱର ଓ ମୟୂରଭଞ୍ଜ ସୀମା ସିଲ୍
  • ଟ୍ରେନରେ ଆସୁଥିବା ବଙ୍ଗୀୟ ଯାତ୍ରୀଙ୍କ ଉପରେ କଡ଼ା ନଜର
  • ବିଶେଷଜ୍ଞ କହିଲେ ଟ୍ରିପଲ୍ ମ୍ୟୁଟାଂଟ୍‌ ଭାରିଆଣ୍ଟର ହଟସ୍ପଟ୍ ପଶ୍ଚିମବଙ୍ଗ

ଭୁବନେଶ୍ୱର: ସାଘାଂତିକ ଭାବେ ସଂକ୍ରମଣ କରିବାର କ୍ଷମତା ଥିବା ବେଙ୍ଗଲ ଷ୍ଟ୍ରେନକୁ ଜଗିବାକୁ ପୁରା ସଜାଗ ହୋଇଛନ୍ତି ସରକାର। ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ପରେ ଆଜିଠୁ ପଶ୍ଚିମବଙ୍ଗର ଦୁଇ ମୁଖ୍ୟ ପ୍ରବେଶପଥ ଉଦୟପୁର ଓ ଲକ୍ଷ୍ମଣନାଥ ସହ ମୟୂରଭଞ୍ଜ ଜିଲ୍ଲାର ଜାମଶୋଳାରେ ଆରମ୍ଭ ହୋଇଛି କଡ଼ାକଡ଼ି କୋଭିଡ୍ ଯାଞ୍ଚ। କେବଳ ବାଲେଶ୍ୱର ଜିଲ୍ଲାର ୪୪ଟି ସ୍ଥାନରେ ବ୍ୟାରିକେଡ୍ ଲଗାଇଛି ପ୍ରଶାସନ। ଏପଟେ ଭୁବନେଶ୍ୱର ରେଳ ଷ୍ଟେସନ ହେଉ କି ପୁରୀ, ସବୁଠି ବଙ୍ଗୀୟ ଯାତ୍ରୀଙ୍କ ଉପରେ ରହିଛି କଡ଼ା ନଜର। ବିଶେଷଜ୍ଞଙ୍କ ମତରେ ମାରାତ୍ମକ ଭୂତାଣୁର ଟ୍ରିପଲ୍ ମ୍ୟୁଟାଂଟ୍‌ ଭାରିଆଣ୍ଟର ହଟସ୍ପଟ ପଶ୍ଚିମବଙ୍ଗ ପାଲଟିଛି।

ଓଡ଼ିଶାରେ ବେଙ୍ଗଲ ଷ୍ଟ୍ରେନ୍ ଆତଙ୍କ। ମାଡ଼ିଆସିପାରେ ମାରାତ୍ମକ ଭୁତାଣୁ। ଭୂତାଣୁ ରୋକିବାକୁ ସିଲ୍ ହେଲା ଓଡ଼ିଶା-ବେଙ୍ଗଲ ସୀମା। ବାଲେଶ୍ୱର ଜିଲ୍ଲା ସୋଲପଟାରେ ସକାଳୁ ବ୍ୟାରିକେଡ୍ ଲଗାଇଛି ପୋଲିସ୍। ପଶ୍ଚିମବଙ୍ଗପଟୁ କାହାରିକୁ ଛାଡୁନି। ସେହିପରି ବଙ୍ଗ-ଓଡ଼ିଶାର ଅନ୍ୟତମ ପ୍ରବେଶ ପଥ ଉଦୟପୁର ସୀମାରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ କଡ଼ା ଯାଞ୍ଚ କରୁଛି ବାଲେଶ୍ୱର ପ୍ରଶାସନ। ଯିଏ ଆସୁଛି ସେମାନଙ୍କ ଆଣ୍ଟିଜେନ୍ ଟେଷ୍ଟ ହେଉଛି। ଯାହା ପାଖରେ ୭୨ ଘଣ୍ଟା ପୂର୍ବର ଆରଟିପିସିଆର ଟେଷ୍ଟ ନେଗେଟିଭ୍ ରିପୋର୍ଟ କିମ୍ବା ଡବଲ ଡୋଜ୍ ଭ୍ୟାକ୍ସିନ ନେଇଥିବା ସାର୍ଟିଫିକେଟ୍ ଅଛି କେବଳ ସେମାନଙ୍କୁ ପ୍ରବେଶ ଅନୁମତି ମିଳୁଛି।

ଯାହାଙ୍କର ସାମାନ୍ୟ ଲକ୍ଷଣ ପ୍ରକାଶ ଆସୁଛି ତୁରନ୍ତ ସଂଗରୋଧକୁ ପଠାଯାଉଛି। ତେବେ ହଠାତ୍ ଏଭଳି ସୀମା ସିଲ୍ ପରେ ଆଜି ଉଦୟପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉଭୟ ରାଜ୍ୟର ପ୍ରଶାସନିକ ସ୍ତରରେ ଆଲୋଚନା ପରେ ସ୍ଥିତି ଶାନ୍ତ ପଡିବାରୁ ପୁଣି ବ୍ୟାରିକେଡ୍ ଲାଗିଛି। ସେମିତି ଜଳେଶ୍ୱରସ୍ଥିତ ଲକ୍ଷ୍ମଣନାଥ ତନଖି ଫାଟକରେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଦୁଇଟି ବରଯାତ୍ରୀ ଦଳ ହଟ୍ଟହଟ୍ଟା ହୋଇଥିଲେ। ଜଣେ ବର ବାଲେଶ୍ୱରକୁ ବିବାହ ପାଇଁ ଯାଉଥିବା ବେଳେ ଅନ୍ୟ ଜଣେ ପାରାଦୀପ ଯାଉଥିଲେ। ପୋଲିସ୍ ସେମାନଙ୍କୁ ଅଟକାଇ କୋଭିଡ୍ ନେଗେଟିଭ୍ ରିପୋର୍ଟ ମାଗିଥିଲା। ସେମିତି ଦୈନ୍ୟଦିନ କାମରେ ସକାଳୁ ସୀମା ଡେଇଁ ଆରପଟକୁ ଯାଇଥିବା ବହୁ ସ୍ଥାନୀୟ ଲୋକ ବି ହଠାତ୍ ବ୍ୟାରିକେଡ୍ ଦେଖି ବିରକ୍ତି ପ୍ରକାଶ କରିଥିଲେ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ୪୪ଟି ସ୍ଥାନରେ ସୀମା ସିଲ୍ କରି ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ନିଜେ ଜିଲ୍ଲାପାଳ ବିଭିନ୍ନ ପ୍ରବେଶପଥକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ମୟୂରଭଂଜର ବେଙ୍ଗଲ୍ ସୀମାରେ ବି କଡ଼ାକଡି ଯାଞ୍ଚ କରାଯାଉଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଜାମଶୋଳା ଫାଟକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ବଙ୍ଗକୁ ଯାଆସ ଉପରେ ଲାଗିଛି କଡ଼ା କଟକଣା। ଏଣେ ଭୁବନେଶ୍ୱର ରେଳ ଷ୍ଟେସନରେ ବି ପଶ୍ଚିମବଙ୍ଗରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯିବାକୁ ନିଷ୍ପତ୍ତି ହୋଇଛି। ପର୍ଯ୍ୟଟନ କ୍ଷେତ୍ର ପୁରୀରେ ବଙ୍ଗୀୟ ଯାତ୍ରୀ ଓ ସେମାନେ ରହୁଥିବା ହୋଟେଲ ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା ଏସ୍ପି କହିଛନ୍ତି।

ଏଠି ପ୍ରଶ୍ନ କାହିଁକି ବେଙ୍ଗଲ ଷ୍ଟ୍ରେନ୍ ଏତେ ମାରତ୍ମକ ? ବିଶେଷଜ୍ଞ କହୁଛନ୍ତି କରୋନା ଭୂତାଣୁର ଟ୍ରିପଲ୍ ମ୍ୟୁଟାଂଟ୍‌ ଭାରିଆଂଟ୍‌ ପଶ୍ଚିମବଙ୍ଗରେ ଅଧିକ ନଜରକୁ ଆସିଛି। ପୂର୍ବରୁ ଠାବ ହୋଇଥିବା ଡବଲ୍ ମ୍ୟୁଟାଂଟ୍‌ ଷ୍ଟ୍ରେନରେ ୨ଟି ରୂପାନ୍ତରର ଗୁଣ ପ୍ରକାଶ ପାଉଥିଲା, ହେଲେ ସେଥିରେ ଆଉ ଏକ ମ୍ୟୁଟେସନ୍‌ ହୋଇ ମୋଟ ୩ଟି ଷ୍ଟ୍ରେନର ଗୁଣ ବେଙ୍ଗଲରେ ପ୍ରକାଶ ପାଉଛି। ପୂର୍ବରୁ ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡ଼ରେ ଏଭଳି ଷ୍ଟ୍ରେନ ଠାବ ହୋଇଥିଲେ ବି ପଶ୍ଚିମବଙ୍ଗକୁ ଏବେ ଏହାର ହଟସ୍ପଟ୍‌ କରାଯାଉଛି। ଯାହାକି କ୍ଷୀପ୍ର ସଂକ୍ରମଣ ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଚକମା ଦେଉଛି। ଏମିତିକି ଟିକା ନେଇସାରିଥିବା ବ୍ୟକ୍ତିଙ୍କୁ ବି ପୁନଃ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

You might also like