ବଲାଙ୍ଗୀର : କେବେ ଘଟି ନ ଥିବା ଘଟଣା ଘଟିଲା ବଲାଙ୍ଗିର ସହରରେ। କେବେ ଦେଖି ନ ଥିବା ଦୃଶ୍ୟ ଦେଖିଲେ ସହରବାସୀ । ପ୍ରେମ ପାଇଁ ବିକ୍ରମ ପଣ୍ଡା ନାମକ ଜଣେ ଯୁବକର ବଦମାସୀ ଦୋହଲାଇ ଦେଇଛି ସମସ୍ତଙ୍କୁ। ଘରେ ପଶି ଯୁବତୀଙ୍କ ସମ୍ପର୍କୀୟଙ୍କୁ ପଣବନ୍ଦୀ କରି ରଖିବା ଏବଂ ୫ ଘଣ୍ଟା ଧରି ଫିଲ୍ମ ଷ୍ଟାଇଲ୍‌ରେ ପୋଲିସର ଜବରଦସ୍ତ ଅପରେସନ୍ ହୁଲସ୍ତୁଲ୍ କରିଦେଲା ସାରା ସହରକୁ। ହେଲେ ପଣବନ୍ଦୀ ଥିବା ବ୍ୟକ୍ତି ଏବଂ ଅଭିଯୁକ୍ତଙ୍କୁ ପୋଲିସ ଯେଭଳି ଢଙ୍ଗରେ ସୁରକ୍ଷିତ ଉଦ୍ଧାର କଲା, ତାକୁ ନେଇ ବଲାଙ୍ଗିରରେ ଜୋରଦାର ଚର୍ଚ୍ଚା ଚାଲିଛି।

ସୂଚନା ମୁତାବକ ମଙ୍ଗଳାବାର ସକାଳ ପ୍ରାୟ ୯ଟା ବେଳେ ବଲାଙ୍ଗିର ଶାନ୍ତିପଡ଼ାସ୍ଥିତ ସ୍ୱର୍ଗତ ମଦନମୋହନ ହୋତାଙ୍କ ଘରେ ବନ୍ଧୁକଧରି ହଠାତ୍ ପହଞ୍ଚିଯାଇଥିଲା ବିକ୍ରମ। ଘରେ ଥିଲେ ମଦନମୋହନଙ୍କ ପୁଅ ଦିବ୍ୟଲୋଚନ, ବୋହୂ ଏବଂ ନାତି। ବନ୍ଧୁକ ଦେଖାଇ ଭାଣିଜୀ କୁଆଡ଼େ ଗଲା ବୋଲି ଦିବ୍ୟଲୋଚନଙ୍କୁ ପଚାରିଥିଲା। ଭାଣିଜୀକୁ ନ ଡାକିଲେ ଗୁଳି କରିଦେବାକୁ ଧମକ ବି ଦେଇଥିଲା। ବିକ୍ରମର ଏଭଳି ଉଗ୍ରରୂପ ଦେଖି ଆତଙ୍କିତ ଦିବ୍ୟଲୋଚନ ଏବଂ ପରିବାର ଶେଷରେ କୌଶଳକ୍ରମେ ଅନ୍ୟ ଏକ କୋଠରୀରେ ପଶି ଲକ୍ କରିବା ସହ ପୋଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ଏସ୍‌ଡିପିଓ ତୋଫାନ୍ ବାଗ, ଟାଉନଥାନା ଆଇଆଇସିଙ୍କ ସମେତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ଘର ପଛପଟ ଝରକା ପଟୁ ସିଡି ଲଗାଇ ଘର ଭିତରକୁ ପଶିଥିଲେ। ତାପରେ ଅତି ଚତୁରତତାର ସହ ପ୍ରଥମେ ଦିବ୍ୟଲୋଚନ ଓ ପରେ ପତ୍ନୀ ଏବଂ ପୁଅଙ୍କୁ ଉଦ୍ଧାର କରିଥିଲେ। ବିକ୍ରମ କବଳରୁ ମୁକୁଳିବା ପରେ ଆତଙ୍କରାଜର ପ୍ରତିଟି ଦୃଶ୍ୟକୁ ବର୍ଣ୍ଣନା କରିଥିଲେ ଦିବ୍ୟଲୋଚନ ଓ ତାଙ୍କ ପୁଅ।

ଦିବ୍ୟଲୋଚନଙ୍କ ପରିବାରକୁ ଉଦ୍ଧାର ପରେ ଆଉ ଏକ ଚାଲେଞ୍ଜ ଥିଲା ବିକ୍ରମକୁ କାବୁ କରିବା। କାରଣ ସେ ଅନ୍ୟ ଏକ ଘରେ ହାତରେ ବନ୍ଧୁକ ସହ ମାରଣାସ୍ତ୍ର ଧରି ଥିଲା। ତେଣୁ ତାକୁ କାବୁ କରିବା ନେଇ ଘଟଣାସ୍ଥଳରେ ବୁଲେଟପ୍ରୁଫ୍ ଜାକେଟ୍ ପିନ୍ଧି ପ୍ରସ୍ତୁତ ଥିଲେ ସୁରକ୍ଷାକର୍ମ। ଆରମ୍ଭ ହୋଇଥିଲା ଅପରେସନ୍। ପ୍ରଥମେ ବିକ୍ରମ ସହ କଥା ହେବା ପାଇଁ ତାର ନିକଟତମ ବନ୍ଧୁମାନଙ୍କୁ ପୋଲିସ ପଠାଇଥିଲେ ମଧ୍ୟ ଫଳ ଶୂନ ହୋଇଥିଲା। ଶେଷରେ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ଅତର୍କିତଭାବେ ଘରେ ପଶି ବିକ୍ରମକୁ କୌଶଳକ୍ରମେ କାବୁ କରିଥିଲେ । ଏହି ସମୟରେ ବିକ୍ରମ ପ୍ରାୟ ୨ ରାଉଣ୍ଡ ଗୁଳି ଫୁଟାଇଥିବା ପୋଲିସ କହିଛି। ବିକ୍ରମକୁ ଧରିବା ସମୟରେ ପୋଲିସ୍ ବିକ୍ରମ ସହ ମୁହାଁମୁହିଁ ହୋଇଥିବାରୁ ଘରର ଆସବାବପତ୍ର ଭାଙ୍ଗିଭୁଙ୍ଗି ଛିନଛତ୍ର ହୋଇପଡିଥିବା ଦେଖାଯାଏ। ଘଟଣାସ୍ଥଳରୁ ଭୂଜାଲି ସହ ପିସ୍ତଲକୁ ପୋଲିସ ଜବତ କରିଛି।

ପ୍ରକାଶ ଥାଉକି ବଲାଙ୍ଗିର ବରପାଲି ପଡ଼ାର ବିକ୍ରମ ପ୍ୟାଲେସ ଲାଇନ୍‌ରେ ଏକ ଇଣ୍ଟରନେଟ୍ କାଫେ କରିଥିଲା। ପୂର୍ବରୁ ତା’ର ଚେହେରା ଅତ୍ୟନ୍ତ ଶାନ୍ତ ସରଳ ଥିଲା ବେଳେ ପରେ ନିଶ ଦାଢ଼ି ବଢ଼ାଇ ଭୟଙ୍କର ରୂପଧାରଣ କରିଥିଲା। କୁହାଯାଉଛି ପ୍ରେମ ପାଇଁ ଶାନ୍ତିପଡ଼ାରେ ବିକ୍ରମ ଭିଆଇଛି ଏଭଳି କାଣ୍ଡ। ତେବେ ବିକ୍ରମକୁ ଟାଉନ ଥାନାରେ ରଖି ବଲାଙ୍ଗିର ପୋଲିସ ଘଟଣା ପଛର ସତ ଆଦାୟ କରୁଥିବା ବେଳେ ଏକତରଫା ପ୍ରେମ କରି ଭାଣିଜୀକୁ ଗତ ବର୍ଷେ ଧରି ବିକ୍ରମ ହଇରାଣ କରୁଥିବା ଦିବ୍ୟଲୋଚନ କହିଛନ୍ତି।

Other Stories