ପୁଣି ରକ୍ତରଞ୍ଜିତ ହେବ ସୁଲିଆ ପୀଠ, ଆସନ୍ତା ୧୯ରେ ବଲାଙ୍ଗିରରେ ପାଳନ ହେବ ପ୍ରସିଦ୍ଧ ସୁଲିଆ ଯାତ୍ରା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗୀରରେ  ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଗାଁରେ ଆସନ୍ତା ୧୯ରେ ପ୍ରସିଦ୍ଧ ସୁଲିଆ ଯାତ୍ରା ସମ୍ପନ୍ନ ହେବ । ଏ ନେଇ ଆଜି ଶୁଲିଆ ଯାତ୍ରା କମିଟୀ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କାହିଁ କେତେ କାଳରୁ ପ୍ରତି ବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ସୁଲିଆ ଯାତ୍ରା ପାଳନ କରାଯାଇଥାଏ । ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସତ୍ତ୍ବେ ଶୁଲିଆ ପୀଠରେ ହଜାର ହଜାର ସଂଖ୍ୟ‌ାରେ ପଶୁପକ୍ଷୀଙ୍କୁ ବଳି ପଡ଼ିଥାଏ ।

କରୋନା ମହାମାରୀ ସମୟରେ ଯାତ୍ରା ପଡୁଥିବାରୁ କୋଭିଡ କଟକଣା ମାନି ସୁଲିଆ ଯାତ୍ରା ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । କରୋନା ଯୋଗୁଁ ଏଥର ପ୍ରଥମ ଥର ପାଇଁ ମୀନାବଜାର,ଦୋକାନ ବଜାରକୁ ଯାତ୍ରାରେ ବାରଣ କରାଯାଇଛି । ଭକ୍ତମାନଙ୍କୁ ମାସ୍କ ପିନ୍ଧି ସୁଲିଆ ବୁଢାଙ୍କ ଆଶିର୍ବାଦ ନେବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡିବ ବୋଲି ଯାତ୍ରା କମିଟି ନିଷ୍ପତ୍ତି ନେଇଛି । ଏସବୁ ଭିତରେ କିନ୍ତୁ ପୂର୍ବ ବର୍ଷ ମାନଙ୍କ ଭଳି କନ୍ଧ ଆଦିବାସୀଙ୍କ ପ୍ରଥା ପରମ୍ପରା ଅନୁଯାୟୀ ପଶୁ ପକ୍ଷୀଙ୍କ ବଳି ଦେବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସୁଲିଆ ଯାତ୍ରା ସମୟରେ ଦେହେରୀ, ପୂଜକ ତଥା ବଳି ଦେଉଥିବା ବ୍ୟକ୍ତି କପଡା ଜିନିଷ ପିନ୍ଧନ୍ତି ନାହିଁ । ବକ୍କଳ ଧାରଣ କରନ୍ତି । ତେଣୁ ସେମାନେ ମାସ୍କ ପିନ୍ଧିବେ ନାହିଁ, ଅନ୍ୟମାନେ ମାସ୍କ ପିନ୍ଧି ଯାତ୍ରାରେ ସାମିଲ ହେବେ । ଯାତ୍ରା କମିଟି ପ୍ରସ୍ତୁତି ବୈଠକ ସାରି ଥିବା ବେଲେ ପୋଲିସ ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ କୌଣସି ବୈଠକ କରାଯାଇନାହିଁ । ତେଣୁ ପ୍ରଶାସନ ସୁଲିଆ ଯାତ୍ରାକୁ ଅନୁମତି ଦେଉଛି ନା ନାହିଁ ତାହା ଦେଖିବା ବାକି ରହିଲା  ?  ଯଦି ଅନୁମତି ଦେବ, ତେବେ କଣ ସବୁ କଟକଣା ଲାଗିବ ? ପୁଲିସ ପ୍ରଶାସନର କଟକଣାକୁ ଆଦିବାସୀ ମାନେ ମାନିବେ ନା ନାହିଁ, ତାହା ପରେ ଜଣା ପଡ଼ିବ ।

You might also like