ଅଟକି ଯାଇଛି ବଲାଙ୍ଗିର ବାଇପାସ୍ ସ୍ୱପ୍ନ

ବଲାଙ୍ଗିର: ହେଉ ହେଉ ଅଟକି ଗଲା ବଲାଙ୍ଗିର ବାଇପାସ୍। ଜମି ଅଧିଗ୍ରହଣର କ୍ଷତିପୂରଣ ଦରକୁ ନେଇ ସୃଷ୍ଟି ହୋଇଛି କେଁ। ରାଜ୍ୟ ସରକାରଙ୍କୁ ଏ ବାବଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମଗାଯାଇଛି। ଏହା ଦ୍ୱାରା ବଲାଙ୍ଗିର ବାଇପାସ୍ ଶୀଘ୍ର ହେବାର ଯେଉଁ ଆଶା ଦିଶୁଥିଲା ତାହା ମଉଳି ଯାଇଛି।

ବଲାଙ୍ଗିର ବାଇପାସ୍‌ର ସୂଚନା ଫଳକ ଭାଙ୍ଗି ଯାଇଛି । ଏହି ସୂଚନା ଫଳକ ଭାଙ୍ଗିବା ପରି ଭାଙ୍ଗି ଯାଇଛି ବଲାଙ୍ଗିର ବାଇପାସ୍ ଶୀଘ୍ର ହେବାର ଆଶା। ଯାହାକି ଅଟକି ଯାଇଛି ଷ୍ଟାଣ୍ଡିଂ ଫାଇନାନ୍ସ କମିଟି ପାଖରେ। ଅଧିଗ୍ରହଣ ହେବାକୁ ଥିବା ଜମିର ମୂଲ୍ୟକୁ ନେଇ ଠିକ୍ ଭାବେ ପକ୍ଷ  ରଖିପାରିନଥିଲେ ରାଜ୍ୟ ସରକାରଙ୍କ ପ୍ରତିନିଧି। କେଉଁ ଆଧାରରେ ଚାଷ ଜମିର ଅଧିଗ୍ରହଣ ପାଇଁ ଏତେ ଚଢ଼ା ଦରର କ୍ଷତିପୂରଣ ରଖାଯାଇଛି ବୋଲି ପ୍ରଶ୍ନ କରିବା ସହିତ ଏ ସଂପର୍କରେ ସ୍ପଷ୍ଟୀକରଣ ମାଗିଛି କେନ୍ଦ୍ର ସରକାରଙ୍କ ସଡ଼କ, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ।

ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ ବାଇପାସ୍ ମଞ୍ଜୁର ସଂପର୍କରେ ଚିଠି ଲେଖିଥିବାରୁ ତା’ର ଉତ୍ତରରେ ଏହି ଚିଠି ଆସିଛି। ଏହା ପରେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହିତ ବଲାଙ୍ଗିର ସାଂସଦ ରିଭ୍ୟୁ ମିଟିଂ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତରରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଲେଖିଥିଲେ ଯେ, ବଲାଙ୍ଗିର ବାଇପାସ୍ ପାଇଁ ୧୯୦ କୋଟି ଟଙ୍କା ମଞ୍ଜୁର ହୋଇଛି।

ଏହା ପରେ ଶ୍ରେୟ ନେବାକୁ ବିଜେପି, କଂଗ୍ରେସ, ବିଜେଡି ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା।

ବାଇପାସ୍ ମଞ୍ଜୁର ହେବାର ଖୁସିରେ ଲାଗିଥିବା ହୋଡିଂ ଆଉ ପୋଷ୍ଟର ପୁରୁଣା ନ ହେଉଣୁ ଅଟକି ଯାଇଛି ବାଇପାସ୍। ଏଥିପାଇଁ ବଲାଙ୍ଗିରବାସୀ ନିରାଶ ହୋଇଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ବଲାଙ୍ଗିର ବାଇପାସ୍‌କୁ ନେଇ ରାଜନୀତି

You might also like