ଗଞ୍ଜାମ : ଦୁଇ ମାସ ଧରି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ଗଞ୍ଜାମ ଖଲ୍ଲିକୋଟ ଚିକିଲିଗା ଗାଁର ବିଷ୍ଣୁ ପ୍ରସାଦ ଗୌଡ଼ଙ୍କ ମୃତଦେହ ଅାଜି ବ୍ରହ୍ମପୁର ଅାମ୍ବପୁଅା ନିକଟ ବଡ଼ଗୁମୁଳାରେ ମାଟି ତଳୁ ଉଦ୍ଧାର କରାଯାଇଛି। ବିଷ୍ଣୁ ପ୍ରସାଦ ବ୍ରହ୍ମପୁରର ଏକ ଘରୋଇ ବ୍ୟାଙ୍କର ଏଜେଣ୍ଟ ଭାବେ କାମ କରୁଥିଲେ। ତେବେ କିଛି ସପ୍ତାହ ପୂର୍ବରୁ ବିଷ୍ଣୁ ବ୍ରହ୍ମପୁର ଅାସିଥିବା ବେଳେ ନିଖୋଜ ହୋଇଯାଇଥିଲେ।
ଏ ନେଇ ତାଙ୍କ ପତ୍ନୀ ପୁଲିସରେ ଅଭିଯୋଗ କରିଥିଲେ। ଘଟଣାରେ ତନାଘନା ପରେ ବ୍ରହ୍ମପୁର ପୁଲିସ୍ର ଏକ ୫ ଜଣିଅା ଟିମ୍ ଅାଜି ବଡଗୁମୁଳା ଗାଁକୁ ଯାଇ ମାଟି ତଳେ ପୋତା ହୋଇଥିବା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର କରିଥିଲା। ଶବଟି ବିଷ୍ଣୁଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି।
ଏହି ଘଟଣାରେ ଗଂଗା ବେହେରା ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ୍। ହତ୍ୟାକାଣ୍ଡ ପଛରେ ବ୍ରହ୍ମପୁର ଗାୟତ୍ରୀ କ୍ଲିନିକର ମାଲିକ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ତେବେ ସଂପୃକ୍ତ ଡାକ୍ତର ଫେରାର ହୋଇଯାଇଛନ୍ତି।