ସମ୍ବଲପୁରରେ ପୋଲ ତଳୁ ମିଳିଥିବା ଯୁବତୀଙ୍କ ମୃତଦେହ ଚିହ୍ନଟ

ମୃତ ଯୁବତୀ ସମ୍ବଲପୁରୀ ଆଲବମର ଜଣାଶୁଣା ଅଭିନେତ୍ରୀ ସିମରନ ସିଂ

ସମ୍ବଲପୁର : ସମ୍ବଲପୁରରେ ମହାନଦୀ ପୋଲ ତଳୁ ମିଳିଥିବା ଯୁବତୀଙ୍କ ମୃତଦେହର ପରିଚୟ ମିଳିଛି। ସେ ହେଉଛନ୍ତି ପଶ୍ଚିମ ଓଡ଼ିଶା ସମେତ ସାରା ରାଜ୍ୟରେ ଚହଳ ପକାଇଥିବା ସମ୍ବଲପୁରୀ ମ୍ୟୁଜିକ୍ ଆଲବମ୍ ‘ସେଲ୍‌ଫି ବେବୋ’ ଫେମ୍ ସିମ୍‌ରନ।

ତାଙ୍କ ମୁଣ୍ଡ, ମୁହଁ ସମେତ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ରହିଛି। ସେହିପରି ମୃତଦେହ ନିକଟରୁ କେସିଙ୍ଗା ଯିବା ଲାଗି ଟ୍ରେନ୍ ଟିକଟ ସହ ମୋବାଇଲ୍ ଫୋନ୍ ଜବତ ହୋଇଛି। ପ୍ରାଥମିକ ତଦନ୍ତରୁ ସିମ୍‌ରନ ପୋଲରୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବୁର୍ଲା ଏସ୍‌ଡିପିଓ କହିଛନ୍ତି।

ସେପଟେ ଝିଅକୁ ହତ୍ୟା କରାଯାଇଛି କିମ୍ବା ମାତ୍ରାଧିକ ନିର୍ଯାତନା ଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସିମ୍‌ରନଙ୍କ ମାଆ ସନ୍ଦେହ କରୁଛନ୍ତି। ଘଟଣା ପଛରେ ସମ୍ବଲପୁରୀ ସିଙ୍ଗର ରୁକୁ ସୁନାଙ୍କ ସଂପର୍କୀୟ ତଥା ସିମରନଙ୍କ ସ୍ୱାମୀ ୟୁଗ୍ ସୁନାଙ୍କ ହାତ ଥିବା ସେ ଅଭିଯୋଗ ଆଣିଛନ୍ତି।

ଦୁଇ ମାସ ତଳେ ବଲାଙ୍ଗିରର ୟୁଗ୍‌ଙ୍କୁ ସିମ୍‌ରନ ପ୍ରେମ ବିବାହ କରିଥିଲେ। ତେବେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେବା ଲାଗି ମନ ବଳାଇଥିବା ୟୁଗ, ସିମରନଙ୍କୁ ନିୟମିତ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଆସୁଥିବା ମାଆ ଅଭିଯୋଗ କରିଛନ୍ତି।

ପୂର୍ବରୁ ଏନେଇ ଝାରସୁଗୁଡ଼ା ଥାନାରେ ମଧ୍ୟ କେସ୍ ହୋଇଥିଲା। ସେଲ୍‌ଫି ବେବୋ, ରିମ୍‌ଝିମ୍ ପାନି, ରିକ୍ସାବାଲା ଭଳି ଅନେକ ଲୋକପ୍ରିୟ ଆଲବମ୍‌ରେ ସିମ୍‌ରନ ଅଭିନୟ କରିଥିଲେ। ତାଙ୍କ ମୃତ୍ୟୁରେ ସହ-କଳାକାର ଓ ଆଲବମ୍ ପ୍ରଯୋଜକ ଦୁଃଖ ପ୍ରକାଶ କରିଛନ୍ତି।

You might also like