ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯନ୍ତାପାଇ ଗାଁ ମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ରୋଷେଇ ଘରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ରାଜୁ ହାନ୍ତାଳ। ତାଙ୍କ ଘର ଧୁଳିପୁଟ ପଞ୍ଚାୟତର ରାଙ୍ଗନିଗୁଡ଼ା ଗାଁରେ। ରାଜୁଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି।
ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ଦିନ ସେ ଯନ୍ତାପାଇ ଠାରେ ହେଉଥିବା ସାପ୍ତାହିକ ହାଟକୁ ତାଙ୍କ ଦୁଇ ଝିଅଙ୍କ ସହିତ ଔଷଧ ଓ ରାସନ ସାମଗ୍ରୀ କିଣିବାକୁ ଯାଇଥିଲେ। ହେଲେ ଦୁଇ ଜଣ ବ୍ୟକ୍ତି ହାଟରୁ ତାଙ୍କୁ ଡାକି ନେଇଥିଲେ। ତା’ପରଠୁ ସେ ଆଉ ଘରକୁ ଫେରି ନ ଥିଲେ।
ଗତକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ ଅଙ୍ଗନବାଡ଼ି କେନ୍ଦ୍ରର ରୋଷେଇ ଘରୁ ରାଜୁଙ୍କ ମୃତଦେହ ମିଳିଥିଲା। ଖବରପାଇ ରାଜୁଙ୍କ ପରିବାର ଲୋକେ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା।
ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କହିଛି।