ସ୍କୁଲ୍ ପରିସରରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତଦେହ
ନବରଙ୍ଗପୁର: ସମ୍ପର୍କୀୟ ଝିଆରୀକୁ ହତ୍ୟା କଲା ସମ୍ପର୍କୀୟ ଦାଦା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗାଁରେ ଜଣେ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପୁଲିସ୍ ସମ୍ପର୍କୀୟ ଦାଦା ଭୀଷ୍ମ ହରିଜନ(୨୭) କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀ ଜଣକ ଯୁକ୍ତ ୩ରେ ଅଧ୍ୟୟନ କରୁଥିଲେ।
ସୂଚନା ଅନୁସାରେ, ସମ୍ପୃକ୍ତ ଯୁବତୀ ଓ ଭୀଷ୍ମ ପରସ୍ପରକୁ ଭଲ ପାଉଥିଲେ। ଭୀଷ୍ମ, ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଗତକାଲି ଅପରାହ୍ନରେ କୌଣସି କାରଣ ପାଇଁ ଦୁହିଁଙ୍କର ଫୋନରେ ଝଗଡା ହୋଇଥିଲା। ପରେ ସନ୍ଧ୍ୟା ୫ଟାରେ ସ୍ଥାନୀୟ ହାଇସ୍କୁଲ ପରିସର ଭିତରକୁ ଦୁହେଁ ଯାଇଥିବା କିଛି ଲୋକେ ଦେଖିଥିଲେ। କିନ୍ତୁ ରାତି ୯ ପର୍ଯ୍ୟନ୍ତ ଯୁବତୀ ଘରକୁ ନ ଆସିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ସ୍କୁଲ ପରିସରରେ ଯୁବତୀଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ତାଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଜି ସକାଳେ ଯୁବତୀଙ୍କ ପରିବାର ପକ୍ଷରୁ ଭୀଷ୍ମଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ୍ ତାଙ୍କୁ ପଚରାଉଚରା କରୁଛି। ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି, ତାହା ଅସ୍ପଷ୍ଟ ରହିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।