ଭୁବନେଶ୍ୱର ଆଲେନ୍ ଇନଷ୍ଟିଚ୍ୟୁଟ୍‌କୁ ସିଲ୍‌ କଲା BMC

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଲେନ୍ ଇନଷ୍ଟିଚ୍ୟୁଟ୍‌ରୁ ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଇନଷ୍ଟିଚ୍ୟୁଟ୍‌କୁ ସିଲ୍‌ କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ ସୂଚନା ଦିଆଯାଇଛି।

ଇନଷ୍ଟିଚ୍ୟୁଟ୍ ଭିତରେ ଥିବା ହଷ୍ଟେଲ/ମେସ୍‌କୁ ପ୍ରବେଶ ବାରଣ କରାଯାଇଥିବା ବେଳେ କେହିବି ଇନଷ୍ଟିଚ୍ୟୁଟ୍ ଭିତରକୁ ପ୍ରବେଶ କିମ୍ବା ବାହାରକୁ ବାହାରିବା ଲାଗି ଅନୁମତି ନାହିଁ। କେବଳ ସ୍ୱୀକୃତିପ୍ରାପ୍ତ BMC ଅଧିକାରୀଙ୍କୁ ଇନଷ୍ଟିଚ୍ୟୁଟ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି।

ଆଲେନ୍ ଇନଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଆଜିକୁ ୮ ଦିନ ହେଲା ଇନଷ୍ଟିଚ୍ୟୁଟ୍ ବନ୍ଦ ରହିଛି। BMC ପକ୍ଷରୁ ଟେଷ୍ଟିଂ ପାଇଁ କୁହାଯାଇଥିଲା। ଟେଷ୍ଟ ପରେ ପିଲାଙ୍କର ରିପୋର୍ଟ ପଜିଟିଭ ଆସିଛି। କରୋନାର ସମସ୍ତ ଗାଇଡଲାଇନ୍‌ ଇନଷ୍ଟିଚ୍ୟୁଟ୍ ମାନୁଛି।

ଅନ୍ୟପକ୍ଷେ, ଅରୁଗୁଳରେ ଥିବା IITର ୧୦ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି। ୪୦ ଜଣ ଛାତ୍ରଙ୍କ RTPCR ଟେଷ୍ଟ କରାଯାଇଥିଲା।
ପୂର୍ବରୁ ୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ, ଆଜି ଆଉ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସମସ୍ତ ସଂକ୍ରମିତ ନିଜସ୍ୱ ଆଇସୋଲେସନରେ ଅଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାଥାଉ କି, କିଛିଦିନ ତଳେ ଭୁବନେଶ୍ୱର ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ XIMBରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ BMC ଶିକ୍ଷାନୁଷ୍ଠାନକୁ ସିଲ୍‌ କରିଥିଲା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଅଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୭୧ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୧୧୯ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like