କରୋନା ସଂକ୍ରମଣ ରୋକିବାକୁ BMC ପକ୍ଷରୁ ଆଡଭାଇଜରୀ : ଗଠନ ହେଲା ୫ଟି ସ୍ୱତନ୍ତ୍ର ସ୍କ୍ୱାଡ୍

ମାଇକ ଜରିଆରେ ଲୋକଙ୍କୁ କରାଯିବ ସଚେତନ

ଭୁବନେଶ୍ୱର: ସାବାଡ଼ ହେବେ ଅମାନିଆ। କରୋନା ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି। କମିଶନରେଟ ପୋଲିସ ସହ ଆଲୋଚନା କରି କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

ଆଉ ଏଥିପାଇଁ ବିଏମସି ପକ୍ଷରୁ ୫ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଯାଞ୍ଚ ଆରମ୍ଭ ହୋଇଛି। ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି କୁହାଯାଉଛି। ନିୟମ ଉଲ୍ଲଂଘନ କଲେ ବିଏମସିର ସମସ୍ତ ୩ଟି ଜୋନରେ ଅମାନିଆଙ୍କୁ ଜରିମାନା ଆଦାୟ କରାଯିବ। ମାଇକ ଜରିଆରେ ଲୋକଙ୍କୁ ସଚେତନ କରାଯିବା ପାଇଁ କୁହାଯାଇଛି।

ଆଇଆରସିସି ଭିଲେଜରେ ଏକ ସ୍କୁଲରେ ଜଣେ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସମ୍ପୃକ୍ତ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖାଯାଇଛି। ତେବେ ସ୍କୁଲରେ ଅନ୍ୟ କାହାରି ଠାରେ ଲକ୍ଷଣ ନ ଥିବା ଜଣାପଡ଼ିଛି।

ଆହୁରି ପଢନ୍ତୁ : କରୋନା ଆକ୍ରାନ୍ତଙ୍କ ଉପରେ ନଜର, ୨୪ ଘଣ୍ଟାରେ ୬୯ ଆକ୍ରାନ୍ତ ଚିହ୍ନଟ

ସେପଟେ ସରକାରଙ୍କ ନିର୍ଦ୍ଦେଶ ପରେ କଟକରେ ଜୋରସୋରରେ ଚାଲିଛି ତଦାରଖ। ସିଏମସି ପକ୍ଷରୁ ୨ଟି ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ କୋଭିଡ୍ ନିୟମର ତଦାରଖ କରାଯାଉଛି। ମାସ୍କ ଚେକିଂ ଓ ସହ ଗହଳି ସ୍ଥାନରେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି। ନିୟମ ଭାଙ୍ଗିବା ଲୋକଙ୍କଠୁ ଫାଇନ ମଧ୍ୟ ଆଦାୟ କରାଯାଉଛି।

ଅନ୍ୟପଟେ ଓଡ଼ିଶାରେ ସଂକ୍ରମଣ ବଢ଼ିପାରେ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ବାହାରୁ ସଂକ୍ରମଣ ଆସିବାର ଅନେକ ସମ୍ଭାବନା ରହିଛି, ହେଲେ ନିୟମ ମାନିଲେ ସଂକ୍ରମଣ ବ୍ୟାପିବନି।। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରର ଷ୍ଟ୍ରେନ ଦେଖାଦେଇନି। ସେହିପରି ଓଡ଼ିଶାରେ ଦେଖାଦେଇଥିବା ଷ୍ଟ୍ରେନ ମହାରାଷ୍ଟ୍ରର ବୋଲି ମଧ୍ୟ ସ୍ପଷ୍ଟ ହୋଇନାହିଁ।  ଭଦ୍ରକରୁ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି। ତାଙ୍କ ଜିନମ ସିକ୍ୱେନ୍ସ ଆସିବା ପରେ କେଉଁ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି ତାହା ଜଣାପଡିବ।

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଜିନମ ସିକ୍ୱନ୍ସ କରିବା ପାଇଁ ସରକାର କୌଣସି ନିର୍ଦ୍ଦେଶ ଦେଇନାହାନ୍ତି, କିନ୍ତୁ ବାହାର ଦେଶରୁ ଆସୁଥିବା ଲୋକଙ୍କ ଜିନମ ସିକ୍ୱେନ୍ସ ପରୀକ୍ଷା କରାଯାଉଛି। ବିମାନ ବନ୍ଦରରେ ହିଁ ସେମାନଙ୍କ ପରୀକ୍ଷା କରାଯାଉଛି।  ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି, ଆଗକୁ ଟେଷ୍ଟ ମଧ୍ୟ ବଢ଼ିବ। ଏବେ କୋଭିଡ୍ ହସ୍ପିଟାଲ ବନ୍ଦ ଅଛି, ସଂକ୍ରମଣ ବଢ଼ିଲେ ପୁଣି ଖୋଲିବ ବୋଲି ସେ କହିଛନ୍ତି।

You might also like