୧୯୨୯କୁ ଫୋନ କଲେ ଟିକାକରଣରେ ମିଳିବ ବଡ଼ ସୁବିଧା

ବ୍ରହ୍ମପୁରରେ ଆରମ୍ଭ ହେଉଛି ଭ୍ୟାକସିନେସ୍ ଆଟ୍ ଡୋର୍ ବ୍ୟବସ୍ଥା

ଭୁବନେଶ୍ୱର: ସୁବିଧାରେ ହେବ ସିନିଅର ସିଟିଜେନଙ୍କ କରୋନା ଟେଷ୍ଟ ଏବଂ ଟିକାକରଣ। ରାଜଧାନୀ ଭୁବନେଶ୍ୱରରେ ଏଥିଲାଗି ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକଙ୍କୁ ଘରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ନିଆଯାଇ ଟିକା ଦାନ ପରେ ପୁଣି ଘରେ ଛାଡ଼ି ଦିଆଯିବ। ଏଥିଲାଗି ଆଜିଠୁ ଆରମ୍ଭ ହେଉଛି ବ୍ୟବସ୍ଥା। ୧୯୨୯କୁ ଫୋନ୍ କଲେ ଏହି ସେବା ମିଳିବ, ବିଶେଷ କରି ଏକୁଟିଆ ରହୁଥିବା କିମ୍ବା ବାହାରକୁ ଆସିପାରୁନଥିବା ବରିଷ୍ଠ ନାଗରିକମାନେ ଏହା ଦ୍ୱାରା ବିଶେଷ ଭାବେ ଉପକୃତ ହେବେ।

ସେପଟେ, ଆଜିଠୁ ବ୍ରହ୍ମପୁରରେ ଆରମ୍ଭ ହେଉଛି ଭ୍ୟାକସିନସ୍ ଆଟ୍ ଡୋର୍ ବ୍ୟବସ୍ଥା। ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହେଉଛି ଏହି ବ୍ୟବସ୍ଥା। ଫୋନ୍ କଲେ ଘର ପାଖରେ ଯାଇ ପହଞ୍ଚିବ ଟିକା ଭ୍ୟାନ୍। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହାକୁ ଆରମ୍ଭ କରାଯାଇଛି। ସକାଳ ୮ଟାରୁ ଦିନ ୧୨ଟା ଭିତରେ ୭୩୨୮୦-୯୯୩୨୪ ନମ୍ବରକୁ ଫୋନ୍ କରି ବୁକିଂ କରିହେବ। ବୁକିଂ ପାଇଁ ନିଜ ନାଁ, ଘର ଠିକଣା, ବୟସ ସହ ଟିକା ନେବାକୁ ଆବଶ୍ୟକ ଥିବା ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ବୁକିଂର ପରଦିନ ଘର ପାଖକୁ ଯାଇ ଟିକା ଭ୍ୟାନ୍ ପହଞ୍ଚିବ। ପ୍ରତିଦିନ ୧୦୦ ଲୋକଙ୍କୁ ଟିକା ଦିଆଯିବାକୁ ଟାର୍ଗେଟ ରଖାଯାଇଛି। ଭ୍ୟାକସିନେସନ୍‌ ସେଣ୍ଟରରେ ଭିଡ଼ ଏଡ଼ାଇବା ସହ ଦିବ୍ୟାଙ୍ଗ ଓ ବୃଦ୍ଧଙ୍କ ପାଇଁ ଟିକାକରଣକୁ ସହଜ କରିବାକୁ ଏପରି ବ୍ୟବସ୍ଥା ହୋଇଛି।

ସେପଟେ, କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ଲାଗି ଗଠନ ହେଲା କମିଟି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଟି ଗଠନ କରିଛି। DMETଙ୍କ ଅଧ୍ୟକ୍ଷତାରେ ୮ ଜଣିଆ କମିଟି ଗଠନ ହୋଇଛି। ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କମିଟିର ସଦସ୍ୟ ଆବାହକ ରହିବେ ବୋଲି ସୂଚନା ମିଳିଛି। ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବଢୁଥିବାରୁ କମିଟି ତର୍ଜମା କରିବ। ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି।

ତେଣେ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ମାଗଣା ଟିକାକରଣ ଏବଂ ଏଥିପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛନ୍ତି ସରକାର। ଏହାର ସଫଳ କାର୍ଯ୍ୟକାରିତା ଏବଂ ପରିଚାଳନା ପାଇଁ ଏକ ଉଚ୍ଚସ୍ତରୀୟ ଉପଦେଷ୍ଟା କମିଟି ରାଜ୍ୟ ସରକାର ଗଠନ କରିଛନ୍ତି। ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ତଥା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶଦାତା ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି।

ଏହି ଉପଦେଷ୍ଟା କମିଟିରେ ବେଙ୍ଗଳୁରୁ ସ୍ଥିତ ନାରାୟଣ ହୃଦାଳୟ ହେଲ୍ଥ ଗ୍ରୁପ୍ ଅଧ୍ୟକ୍ଷ ଡାକ୍ତର ଦେବୀ ସେଟ୍ଟୀ, ମୁମ୍ବାଇ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍‌ ନିର୍ଦ୍ଦେଶକ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଭଳି ବହୁ ପ୍ରମୁଖ ବରିଷ୍ଠ ଡାକ୍ତର ଓ ବୈଜ୍ଞାନିକ ସଦସ୍ୟ ଅଛନ୍ତି। ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କମିଟିର ଆବାହକ ଅଛନ୍ତି। ଏହି କମିଟି ରାଜ୍ୟରେ କରୋନା ପରିଚାଳନା, ଟିକାକରଣ ଓ ପରବର୍ତ୍ତୀ ଲହର ସମ୍ଭାବନା ନେଇ ପରାମର୍ଶ ଦେବେ।

You might also like