ଭାଇରାଲ୍ ଭିଡିଓକୁ ନେଇ ଅଡୁଆରେ ବିଏମସି

ଭୁବନେଶ୍ୱର: ଭାଇରାଲ୍ ଭିଡିଓକୁ ନେଇ ଅଡୁଆରେ ପଡ଼ିଛି ବିଏମସି। ଅନ୍ୟ ଉପାୟ ନ ପାଇ ଶେଷରେ ଓଟିଭି ବିରୋଧରେ ରୋଷ ଝାଡ଼ିବାକୁ ଉଦ୍ୟମ କରିଛି।
ଭୁଲରେ କରୋନା ପଜିଟିଭ୍ କହି ବସ୍ତି ବାସିନ୍ଦାଙ୍କୁ ଜବରଦସ୍ତ ଘରୁ ଉଠାଇ ନେଇ ପୁଣି ନେଗେଟିଭ୍ କହି ଛାଡ଼ି ଦେଇଥିବା ଭଳି ଗୁରୁତର ଅଭିଯୋଗ ଆସିଥିଲା। ପରେ ବସ୍ତି ବାସ୍ତିନ୍ଦାଙ୍କର ଏହି ଭିଡିଓ ଭାଇରାଲ୍ ହେବାପରେ ଏହାକୁ ନେଇ ଅଡୁଆରେ ପଡ଼ିଛି ବିଏମସି।

ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ପୋଷ୍ଟ ହେବାପରେ ବିଏମସି ଟୁଇଟ୍ କରି ପ୍ରତିକ୍ରିୟା ଜଣେଇଛି। ଏଠି ସୂଚନା ଦିଆଯାଇ ପାରେ ଯେ, ଖବର ପରିବେଷଣ ବେଳେ ଓଟିଭି ସବୁବେଳେ ଖବର ସବୁପକ୍ଷକୁ ସୁଯୋଗ ଦେଇଥାଏ। କିନ୍ତୁ ଅଧିକାଂଶ ସମୟରେ ରାଜ୍ୟ ସରକାର ଓଟିଭିକୁ ପ୍ରତିକ୍ରିୟା ଦେବାକୁ ରାଜି ହୁଅନ୍ତି ନାହିଁ।

ଏହି ଭାଇରାଲ୍ ଭିଡିଓ ପୋଷ୍ଟ କରିବା ପୂର୍ବରୁ ମଧ୍ୟ ଓଟିଭି ପକ୍ଷରୁ ବିଏମସି କର୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲା, କିନ୍ତୁ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ସେମାନେ ମନାକରିଥିଲେ। ତେଣୁ ଓଟିଭି ଖବର ସଂପର୍କରେ ଏହାର ନିଜସ୍ୱ ମତ ନଦେଇ, କେବଳ ଲୋକମାନଙ୍କ ପ୍ରତିକ୍ରିୟା ହିଁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲା। ଲୋକଙ୍କ ମତକୁ ସମସ୍ତଙ୍କ ଆଗରେ ରଖିବା କଣ ଦାୟିତ୍ୱଶୂନ୍ୟ ସାମ୍ବାଦିକତା? ବିଏମସିର ଦାୟିତ୍ୱଶୂନ୍ୟ କାର୍ଯ୍ୟ ଯୋଗୁ ବସ୍ତିବାସିନ୍ଦା ହରେଇଥିବା ସେମାନଙ୍କ ମାନସମ୍ମାନ ଓ ଜୀବନ ଜୀବିକା ଫେରେଇବ କିଏ?

You might also like