ଭାଇରାଲ୍ ଭିଡିଓ ପ୍ରସାରଣ ପରେ ଚିହିଁକି ଉଠିଲା ବିଏମ୍‌ସି

ଭୁବନେଶ୍ୱର: ପଜିଟିଭ୍ କହି ଉଠେଇ ନେଲେ, ପରେ ଭୁଲ୍ ହୋଇଥିବା କହି ଘରକୁ ଛାଡ଼ିଦେଲେ। ଖୋଦ୍ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ପରିଚାଳନାରେ ସାମ୍ନାକୁ ଆସିଛି ଅବ୍ୟବସ୍ଥାର ଏଭଳି ସାଙ୍ଘାତିକ୍ ଅଭିଯୋଗ। ସ୍ଥାନୀୟ ହରିନଗର ବସ୍ତିର ୪୫ ଜଣ ବାସିନ୍ଦା ସେମାନଙ୍କ ଦୁର୍ଦ୍ଦଶାର ଭିଡିଓ କରି ଏହାକୁ ଭାଇରାଲ୍ କରିବା ପରେ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ଭାବେ ଓଟିଭି ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଏହାର ପ୍ରସାରଣ କରିଥିଲା। ହେଲେ ଏହା ପରେ ବିଚଳିତ ବିଏମ୍ସି ଲୋକଙ୍କ ଦୁର୍ଦ୍ଦଶାକୁ ପଛ କରି ଗଣମାଧ୍ୟମକୁ ସାମ୍ବାଦିକତାର ପାଠ ପଢ଼ାଇବାକୁ ଉଦ୍ୟମ କରିଛି।

ଜଣେ କି ଦୁଇ ଜଣ ନୁହେଁ, ପଜିଟିଭ୍ ନେଗେଟିଭ୍‌ର ଦ୍ୱନ୍ଦ୍ୱ ଭିତରେ ରାଜଧାନୀ ଭୁବନେଶ୍ୱର ହରିନଗର ବସ୍ତିର ୪୫ ଜଣ। ୬- ୭ ଦିନ କାଳ ଘାଣ୍ଟି ହେବା ପରେ ଭିଡିଓ ଭାଇରାଲ୍ କରି ବିଏମ୍ସି ବିରୋଧରେ ଆଣିଛନ୍ତି ଏମିତି କରୋନା ଯାତନାର ଅଭିଯୋଗ। ସେମାନେ ଭୁଲ୍‌ରେ ଅଣାଯାଇଥିବା କହି ଫୋନ୍‌ରେ ସିନା କ୍ଷମାପ୍ରାର୍ଥନା କରିଦେଲେ, ଆମକୁ କିନ୍ତୁ ଏବେ କେହି କାମ ଦେଉ ନାହାନ୍ତି ଚଳିବୁ କେମିତି ? କରୋନା ପାଇଁ ଯେଉଁ ଯାତନା ପାଇଲୁ ତାର ଭରଣା କରିବ କିଏ ବୋଲି ପ୍ରଶ୍ନ କରିଛନ୍ତି ବସ୍ତିବାସିନ୍ଦା।

କରୋନା ନ ହୋଇ ବି ଗରିବ ଖଟିଖିଆଙ୍କୁ କରୋନା ଯାତନା। ଜଣେ ନୁହେଁ, ଏକାଠି ଏତେ ଲୋକ ନିଜ ଆଡୁ ଭିଡିଓ କରି ସୋସିଆଲ୍ ମିଡିଆରେ ସେମାନଙ୍କ ଦୁର୍ଦ୍ଦଶାର କାହାଣୀ ବର୍ଣ୍ଣନା କରିବା ପରେ ଏକ ଦାୟିତ୍ୱ ସଂପନ୍ନ ଗଣମାଧ୍ୟମର ଭୂମିକା କଣ ହେବା ଉଚିତ୍ ? ସେମାନଙ୍କ ଅଭିଯୋଗ, ଦୁର୍ଦ୍ଦଶା, ଅସୁବିଧାକୁ ବ୍ୟବସ୍ଥାର ସାମ୍ନାକୁ ଆଣିବା ହିଁ ଦାୟିତ୍ୱ ସଂପନ୍ନ ଗଣମାଧ୍ୟମର ପ୍ରଥମ ଭୂମିକା।

ଭିଡିଓ ଭାଇରାଲ୍ ହେବା ପରେ ଓଟିଭି ସୋସିଆଲ୍ ମିଡିଆ ଟିମ୍ ଏୟା ହିଁ କରିଥିଲା। ହେଲେ ଭିଡିଓ ପୋଷ୍ଟ ପରେ ବିଚଳିତ ବିଏମ୍ସି ଏନେଇ ନିଜ ସ୍ପଷ୍ଟୀକରଣ ଦେବା ଅପେକ୍ଷା ଭିଡିଓର ସ୍କ୍ରିନ୍ ସଟ୍ ନେଇ ମହାମାରୀ ସମୟରେ ଦାୟିତ୍ୱ ସଂପନ୍ନ ସାମ୍ବାଦିକତାର ପାଠ ପଢ଼ାଇବାକୁ ଉଦ୍ୟମ କରିଛି।

ଟ୍ୱିଟ୍‌ରେ ବିଏମ୍ସି କହିଛି, ଜୁଲାଇ ୨୩ରେ କରୋନା ଚିହ୍ନଟ ପରେ ୨୪ରେ ପ୍ରୋଟୋକଲ୍ ଅନୁଯାୟୀ ସମସ୍ତଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ନିଆଯାଇଥିଲା। ୧୦ମ ଦିନ ପରୀକ୍ଷାରେ ସୁସ୍ଥ ହେଉଥିବାରୁ ସେମାନଙ୍କୁ ଲକ୍ଷଣବିହୀନ ରୋଗୀ ଭାବେ ୧୪ ଦିନିଆ ସଂଗରୋଧର ପରାମର୍ଶ ଦେଇ ୩୦ ତାରିଖରେ ଛାଡ଼ି ଦିଆଯାଇଥିଲା। ହେଲେ କିଏ ସତ କହୁଛି, ସାଧାରଣ ଜନତା ନା ବିଏମ୍ସି ? ଖୋଦ୍ ବିଏମ୍ସି କମିଶନର ବି ଆଶଙ୍କା କରୁଛନ୍ତି ଏତେ କାମ ଭିତରେ ଭୁଲ୍ ହୋଇଥାଇପାରେ।

ତେବେ ବିଏମ୍ସିର ଏଭଳି ଆଭିମୁଖ୍ୟର ସମାଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ। ଏସବୁ ଭିତରେ ପ୍ରଶ୍ନ ହେଲା, ଗଣମାଧ୍ୟମକୁ ସାମ୍ବାଦିକତାର ପାଠ ପଢ଼ାଇବା ଅପେକ୍ଷା ପଜିଟିଭ୍ ନେଗେଟିଭ୍‌ର ଦ୍ୱନ୍ଦ୍ୱ ଲୋକଙ୍କ ମନରେ କେଉଁ କର୍ମଚାରୀ ସୃଷ୍ଟି କଲେ ? ଆଗକୁ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନଘଟିବ, ଭୁବନେଶ୍ୱର ହରିନଗର ବସ୍ତିର ଏଇ ବାସିନ୍ଦାମାନେ ଯେମିତି ବାସନ୍ଦର ଶିକାର ନ ହେଲେ ସେ ପଦକ୍ଷେପ ନେବେ କି ବିଏମ୍ସି କର୍ତ୍ତୃପକ୍ଷ ?

ଆହୁରି ପଢ଼ନ୍ତୁ

You might also like