କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ବିଏମ୍‌ସି; ନେଲା ଏମିତି ପଦକ୍ଷେପ

ଭୁବନେଶ୍ୱର:‌ ରାଜ୍ୟରେ  କରୋନା ସ୍ଥିତି ସାଂଘାତିକ ରୂପ ନେଲାଣି। ଗତକାଲି କରୋନା ସଂକ୍ରମିତଙ୍କ ସଂଖ୍ୟା  ୪,୮୫୧ ଥିବାବେଳେ ୫ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ଆଜି ସଂକ୍ରମିତ ଏବଂ ମୃତ୍ୟୁ ହାର ପୁଣି ବୃଦ୍ଧି ପାଇଛି। ଆଜି ଦିନକରେ ରାଜ୍ୟରୁ ୬ହଜାର୧୬୪ ଜଣ ରୋଗୀ ବାହାରିଛନ୍ତି। ରାଜ୍ୟରେ କରୋନାରେ ଗତ ୨୪ ଘଣ୍ଟା ମଧ୍ୟରେ  ୭ ଜଣଙ୍କ ମୃତ୍ୟୁ ଘଟିଛି।

ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା ରାପିଡ଼ ରେସ୍ପନସ ଟିମ ବା RRT ସଂଖ୍ୟା। ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ୍ ଗଠନ ହୋଇଛି। ପ୍ରତି ଜୋନ ପାଇଁ ୧୩ଟି ଲେଖାଏଁ ଟିମକୁ ଦାୟିତ୍ୱ ଦିଆଯାଇଛି । ପ୍ରତି ଟିମରେ ଅଛନ୍ତି ଜଣେ ଡାକ୍ତର, ଜଣେ କୋଭିଡ ସଚେତକ ଓ ଏଏନ୍ଏମ । ଏହି ଟିମ୍‌ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା, ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଏହି ଟିମ୍ ପ୍ରତି ଜୋନରେ ଅଛନ୍ତି ଗୋଟିଏ ସ୍ୱତନ୍ତ୍ର ସେଣ୍ଟ୍ରାଲ ଟିମ୍ ସୋସିଆଲ ମିଡିଆ ଓ whatsapp ଗ୍ରୁପ ଜରିଆରେ ସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି ।

ପୂର୍ବରୁ ପ୍ରତି ଜୋନରେ ୮ଟି ଲେଖାଏଁ ହିସାବରେ ୨୪ଟି RRT ଥିଲା । ବର୍ତ୍ତମାନ ସେହି ସଂଖ୍ୟା ବୃଦ୍ଧି ପାଇ ୩୯ରେ ପହଞ୍ଚିଛି। ସେହିପରି କଣ୍ଟା ଟ୍ରେସିଂ ଟିମ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସ୍ୱତନ୍ତ୍ର କୋଭିଡ ଆମ୍ବୁଲାନ୍ସ ସଂଖ୍ୟା ୧୮ରୁ ୨୮କୁ ବୃଦ୍ଧି ପାଇଛି । ଗତକାଲି କେବଳ ୧୦ଟି ଆମ୍ବୁଲାନ୍ସ ସେବାରେ ସାମିଲ ହୋଇଛି।

ଭୁବନେଶ୍ୱରରେ ୫ ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ ଟାର୍ଗେଟ ରଖିଛି ବିଏମସି । ଆବଶ୍ୟକତା ଅନୁଯାୟୀ, ହସ୍ପିଟାଲ ସହିତ ଶଯ୍ୟା ସଂଖ୍ୟା ଓ ଅକ୍ସିଜେନ ବୃଦ୍ଧିକୁ ବିଏମସି ଗୁରୁତ୍ୱ ଦେଉଥିବା ସୂଚନା ମିଳିଛି।

ଏଠି କହିରଖିବୁ, ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ଅବସ୍ଥା ସବୁଠାରୁ ଖରାପ ରହିଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ ଜଣ ପଜିଟିଭ ବାହାରିଛନ୍ତି।

ସେହିପରି କରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ଚେକ୍ ଦେବାକୁ ତତ୍ପରତା ପ୍ରକାଶ କରିଛି ଗଂଜାମ ପ୍ରଶାସନ । ବ୍ରହ୍ମପୁରରେ ଚାଲିଛି ଡୋର ଟୁ ଡୋର ସ୍କ୍ରିନିଂ ଓ ଅକ୍ସିଜେନ୍ ଲେଭେଲ ଯାଂଚ । ଲକ୍ଷଣ ଥିବା ବ୍ୟକ୍ତିଙ୍କର ଟେଷ୍ଟ କରାଯାଉଛି । ଗତକାଲିଠାରୁ ଏହି ସ୍କ୍ରିନିଂ ଚାଲିଛି । ଆଜି ଗଂଜାମ ଜିଲ୍ଲାରୁ ୧୩୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି।

 

You might also like