ରାଜଧାନୀ ସ୍ଥିତି ସଙ୍ଗୀନ: ମାତ୍ର ୨୪ ଘଂଟାରେ ଭୁବନେଶ୍ୱରରୁ ୫୮୧ ହେଲେ କରୋନା ସଂକ୍ରମିତ

୨୪ ଘଂଟାରେ ୫୮୧

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କହିବାକୁ ହେଲେ ବେକାବୁ ହେଲାଣି ମହାମାରୀ। ଆଉ ଆଜି କେବଳ ଭୁବନେଶ୍ୱରରୁ ୫୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ସମ୍ପର୍କରେ ବିଏମସି ଟ୍ୱିଟ୍‌ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧ ଜଣ କ୍ୱାରେଣ୍ଟାଇନ୍‌ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ବା ଲୋକାଲ କେସର ସଂଖ୍ୟା ୪୭୦ ରହିଛି। ଏଥି ସହିତ ଭୁବନେଶ୍ୱରରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ହଜାର ୭୨୮କୁ ବୃଦ୍ଧି ପାଇଛି।

ଏହାସହ କରୋନାରୁ ୨୦୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଆଉ ଏହାରି ମଧ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୩ ହଜାର ୨୦୮ରେ ପହଂଚିଛି।ସୂଚନା ଅନୁସାରେ ଆଜି ପଟିଆ ଅଂଚଳରୁ ସର୍ବାଧିକ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଓଲଡ୍‌ ଟାଉନରୁ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହପରି ଖଣ୍ଡଗିରି ଅଂଚଳରୁ ୨୯ ଜଣ, ନୟାପଲ୍ଲୀରୁ ୨୪ ଜଣ, ଚନ୍ଦ୍ରଶେଖରପୁରରୁ ୨୨ ଜଣ, ଲକ୍ଷ୍ମୀସାଗର ଅଂଚଳରୁ ୧୯ ଜଣଟଙ୍କପାଣି ରୋଡରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୈନିକ ସ୍କୁଲ ଅଂଚଳରୁ ୧୫ ଜଣ ଓ ମଞ୍ଚେଶ୍ୱରରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆପଡ଼ାରୁ ୩, କେନ୍ଦୁଝର ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୫୩ରେ ପହଞ୍ଚିଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୨,୭୮୫ ଓ ଲୋକାଲ୍‌ କଣ୍ଟାକ୍ଟସ୍ ୧,୯୭୬ ରହିଛି।‌ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୭,୪୬୪ରେ ରହିଛି। ଆକ୍ଟିଭ୍‌ କେସ୍‌-୨୭,୮୨୧ ଥିବାବେଳେ ୩,୪୭,୬୩୭ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଏକ ବଡ଼ ନିଷ୍ପତ୍ତି ନେଇଛି। ରାଜଧାନୀରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଭକ୍ତଙ୍କ ପ୍ରବେଶ ଉପରେ ବ୍ୟାନ୍‌ ଲଗାଯାଇଛି। ଫଳରେ ଧାର୍ମିକ ଅନୁଷ୍ଠାନକୁ ଆଉ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ଆସନ୍ତାକାଲିଠୁ ଏହି ନିୟମ ଲାଗୁ ହେବ ବୋଲି ସୂଚନା ମିଳିଛି।

You might also like