ଭୁବନେଶ୍ୱରରେ ବଢୁଛି ସଂକ୍ରମଣ, ଲାଗୁ ହେବ ନୂଆ ନିୟମ !

ଭୁବନେଶ୍ୱର: କୋଭିଡ୍ ସ୍ଥିତି ଉପରେ SRC ଗାଇଡ୍‌ଲାଇନ୍ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଭୁବନେଶ୍ୱରକୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଏଥି ସହିତ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି ବିଏମ୍‌ସି କମିଶନର୍।

କୋଭିଡ୍ ପ୍ରଭାବିତ ରାଜ୍ୟରୁ ଆସିଲେ ନେଗେଟିଭ ରିପୋର୍ଟ ନିର୍ଦ୍ଦେଶ ଜାରି ହେବ। ୩ ଦିନ ତଳର ନେଗେଟିଭ ରିପୋର୍ଟ ନେଇ ଆସିବାକୁ କୁହାଯିବ। ଏଥିସହ ଭୁବନେଶ୍ୱରରେ ସଂକ୍ରମଣ ବଢ଼ୁଥିଲେ ବି, ସ୍ଥାନୀୟ ସଂକ୍ରମଣ ନୁହେଁ ବୋଲି ପ୍ରେମଚନ୍ଦ୍ର କହିଛନ୍ତି।

ଗତ ୨୩ ତାରିଖରୁ ଭୁବନେଶ୍ୱରର ମାର୍କେଟ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଏମସି ଚଢାଉ ଜାରି ରଖିଛି। ବିଏମ୍‌ସିର ସ୍ୱତନ୍ତ୍ର ଟିମ୍ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ଏହି ଏନଫୋର୍ସମେଂଟ୍‌ ଟିମ ତଦାରଖ କରିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର। ରେଳ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ଅଧିକ ହେଉଥିବାରୁ ସେଠାରେ ଟିମ ସଂଖ୍ୟା ଅଧିକ କରି ଟେଷ୍ଟିଂ କରାଯିବ।

XIMBରେ କରୋନା ପଜିଟିଭ ଚିହ୍ନଟ ପରେ ଶିକ୍ଷାନୁଷ୍ଠାନର ୨୦୪ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୨୦୧ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବିଏମ୍ସି କମିଶନର ସୂଚନା ଦେଇଥିଲେ। ବର୍ତ୍ତମାନ ସ୍ଥିତିରେ ଏଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୩୯ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୯୫ ରହିଛି।  ଖୋର୍ଦ୍ଧାରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୬୯୪ରେ ପହଞ୍ଚିଛି।

You might also like