ଏମାନେ କେହି କାହାକୁ ଦେଖିପାରନ୍ତି ନାହିଁ, କିନ୍ତୁ ପରସ୍ପର ମିଶି ଦେଖିଛନ୍ତି ଆଗାମୀ ଦିନର ସ୍ୱପ୍ନ

ଏମାନେ ହେଲେ ସାତ ଜନ୍ମର ସାଥୀ

କଟକ:(ପ୍ରକାଶ ନାୟକ) ସେମାନେ ଦୃଷ୍ଟିବାଧିତ। ତଥାପି ବାଛି ପାରିଛନ୍ତି ଜୀବନ ସାଥୀ। ହୃଦୟରେ ପରସ୍ପରକୁ ଅନୁଭବ କରି ସାତ ଜନ୍ମର ସାଥୀ ପାଲଟି ଯାଇଛନ୍ତି ରିନୁ ଓ ମୁନା। କଟକ ଚୌଦ୍ୱାର ଶିମିଳାହାଣ୍ଡି ଗାଁର ଏହି ଯୁବକ ଯୁବତୀଙ୍କ ନିଆରା ଢଙ୍ଗରେ ହୋଇଛି ବାହାଘର। ଭୋଜିଭାତର ଆୟୋଜନ ସହ ଆଖପାଖ ଅଂଚଳର ଲୋକଙ୍କୁ ଡାକି ଆପ୍ୟାୟିତ କରାଯାଇଛି। ତେବେ ଗ୍ରାମୀଣ ପରିବେଶରେ ଅନୁଷ୍ଠିତ ଏହି ବିବାହ ପଛରେ ରହିଛି ଗୋଟିଏ ସୁନ୍ଦର କାହାଣୀ।

ବନ୍ଧୁବାନ୍ଧବରେ ପୁରି ଉଠିଛି ଘର। ଢୋଲ ବାଜାରେ ଚାରିଆଡେ ଖୁସିର ପରିବେଶ। ବାହାଘର ଶାଢୀ, ହାତରେ ନାଲି ଚୁଡି ପିନ୍ଧି ନିଜ ବରକୁ ଅପେକ୍ଷା କରି ରହିଛନ୍ତି ରିନୁ। ମନରେ ଅସୁମାରୀ ଆଶା ଓ ସ୍ୱପ୍ନ। ସେପଟେ କନ୍ୟାକୁ ବିବାହ କରିବାକୁ ବର ମୁନା ବି ଆସି ପହଂଚିଛନ୍ତି। ଗ୍ରାମୀଣ ପରିବେଶରେ ଚାଲିଥିବା ଏଇ ବାହାଘର ସାଧାରଣ ବାହାଘର ଲାଗୁଥିଲେବି ଏମାନଙ୍କ କାହାଣୀ କିନ୍ତୁ ଅସାଧାରଣ। ଉଭୟ ରିନୁ ଓ ମୁନା ଦୃଷ୍ଟିବାଧିତ। ଜନ୍ମରୁ ଦୁନିଆ କଣ ଦେଖିନାହାନ୍ତି।  କିନ୍ତୁ ପରସ୍ପର ସହ ୭ ଜନ୍ମର ସାଥୀ ହୋଇ ରହିବା ପାଇଁ ବଚନବଦ୍ଧ, ପ୍ରତିଶ୍ରୁତିବଦ୍ଧ।

ରିନୁ କହିଛନ୍ତି ଯେ, ଆମେ ଦୁନିଆ ଦେଖି ନପାରିଲେ ବି ବହୁତ ଖୁସୀରେ ଆମେ ମାନେ ଚଳିପାରିବୁ। ଆମେ ଦୃଷ୍ଟିହୀନ ହେବା ପରେ ଦୁହେଁ ଦୁହିଁକ ହାତ ଧରୁଛଉ। ତେଣୁ ଭଲରେ ରହିବୁ। ସେପଟେ ମୁନା କହିଛନ୍ତି ଯେ, ବିବାହ ବନ୍ଧନ ଗୋଟିଏ ପବିତ୍ର ବନ୍ଧନ। ଏଥିରେ ସମସ୍ତେ ଖୁସି ଥାଆନ୍ତି। ତେଣୁ ଆମେ ମାନେ ବି ଖୁସି ଅଛୁ। ଏ ଖୁସିର କଳ୍ପନା କରିହେଉ ନାହିଁ। ଆମ ମାନଙ୍କୁ ଦେଖି ଅନେକ ଦିବ୍ୟାଙ୍ଗ ଭାଇଭଉଣୀଙ୍କର ମନରେ ଯେଉଁ ଦୁଃଖ କଷ୍ଟ ଅଛି ତାହାକୁ ଦୂର କରିବାକୁ ମୁନା କହିଛନ୍ତି।

କଟକ ଜିଲ୍ଲା ଚୌଦ୍ୱାର ଶିମିଳାହାଣ୍ଡି ଗାଁର ଦିବାକର ନାୟକଙ୍କ ଝିଅ ରିନୁ ପିଲାଟି ବେଳରୁ ଦୃଷ୍ଟିବାଧିତ। ସେହିପରି ମୁନା ମଧ୍ୟ ପିଲାଟି ବେଳରୁ ଦେଖିପାରନ୍ତି ନାହିଁ। ଦୁଇ ଜଣ ଗୋଟିଏ ଗାଁରେ ରହୁଥିବାରୁ ଦୁହିଁଙ୍କ ବାହାଘର କରିଛନ୍ତି ଗାଁଲୋକେ । ରାଧାମାଧବ ମଠରେ ଭୋଜି ଭାତ ଆୟୋଜନ କରି ବିବାହ କରାଇଛନ୍ତି। ଗ୍ରାମବାସୀଙ୍କ ଉଦ୍ୟମ ଓ ସାହାଯ୍ୟ ଯୋଗୁ ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଛି। ଲୋକଙ୍କ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି। ସେପଟେ ସରକାରଙ୍କ ଯୋଜନା ମୁତାବକ, ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ।

You might also like