ପ୍ରଚଣ୍ଡ ଶବ୍ଦରେ ଫାଟିଗଲା କାନ୍ଥ, ଉଡ଼ିଗଲା ଛାତ

ଧର୍ମଗଡ଼: ବେଆଇନ ପଥର ବ୍ଲାଷ୍ଟିଂକୁ ନେଇ ଲୋକେ ତାତିବା ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା କାଶିବାହାଲର ବାଷ୍ଟିଂ ସ୍ଥଳ ସିଲ୍ କରିଛି ପ୍ରଶାସନ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଅଭିଯୋଗର ତଦନ୍ତ କରୁଛନ୍ତି। ପଥରବ୍ଲାଷ୍ଟିଂ ଯୋଗୁଁ ଆଖପାଖ ଗାଁର ଘରେ ଫାଟ ହୋଇଥିବା ଲୋକେ ଅଭିଯୋଗ କରିଥିଲେ ।

ଗତ ରାତିରେ ଗାଁ ନିକଟ ଲାଣ୍ଡିମୁଣ୍ଡି ପାହାଡ଼ରେ ଭୟଙ୍କର ବିସ୍ଫୋରଣ ସହ ପଥର ବ୍ଲାଷ୍ଟିଂ କରାଯାଇଥିଲା। ଏହାର ପ୍ରଭାବରେ ସାରା ଗାଁ ଥରହର ହେବା ସହ ଆତଙ୍କିତ ହୋଇପଡ଼ିଥିଲେ ସ୍ଥାନୀୟ ବାସିନ୍ଦା। ଏହି ବ୍ଲାଷ୍ଟିଂ ପରେ କାହାର ଘର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା ତ ସହ ଛପର ଭାଙ୍ଗିଯାଇଥିଲା। ଆଉ କାହାଘରେ ଟିଭି ତଳକୁ ଖସିପଡ଼ିଥିଲା।

ଏହାକୁ ନେଇ ରାତି ତମାମ ଆତଙ୍କିତ ଅବସ୍ଥାରେ ରହିଥିଲେ ଲୋକେ । ଆଜି ସକାଳେ ସେମାନେ ଲାଣ୍ଡିମୁଣ୍ଡି ପାହାଡ଼ରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଉତ୍ତେଜନା। କିଏ ଏବଂ କାହା ଅନୁମତିରେ ପାହାଡ଼ ଉପରେ କ୍ୱାରୀ କରି ବ୍ଲାଷ୍ଟିଂ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ ଉତ୍ତ୍ୟକ୍ତ ଲୋକେ। ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଥିଲେ ସେମାନେ।

ଭାରପ୍ରାପ୍ତ ତହସିଲଦାର ସେଠାରେ ପହଞ୍ଚିବା ପରେ ତାଙ୍କୁ ଘେରାଉ କରାଯାଇଥିଲା ।

ସୂଚନାଥାଉ କି, ଦୀର୍ଘଦିନ ଧରି ଏହି ପଥରକ୍ୱାରୀ ହଟାଇବାକୁ ଗାଁ ଲୋକେ ଦାବି କରିଆସୁଛନ୍ତି । କିନ୍ତୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ହେଉ ନାହିଁ ।

You might also like