• translate
Sarbeswar
  • କରୋନା ଆରୋଗ୍ୟଙ୍କୁ ଘାରିଲାଣି ବ୍ଲାକ୍ ଫଙ୍ଗସ୍ ଡର
  • ଡାଇବେଟିସ୍ ଓ ଅନ୍ୟ ଜଟିଳ ରୋଗାକ୍ରାନ୍ତଙ୍କୁ କରୁଛି ଟାର୍ଗେଟ୍
  • ରୋଗ ପ୍ରତିରୋଧକ ଶକ୍ତି କମିବା ଡାଇବେଟିସ ରୋଗୀଙ୍କୁ ଟାର୍ଗେଟ
  • ବିଶେଷଜ୍ଞଙ୍କ ମତ ବ୍ଲାକ ଫଙ୍ଗସ୍ ମାରାତ୍ମକ, କିନ୍ତୁ ଦୁରାରୋଗ୍ୟ ନୁହେଁ

ଭୁବନେଶ୍ୱର(କପିଳେନ୍ଦ୍ର ପ୍ରଧାନ): କରୋନା କାଳରେ ଚିନ୍ତା ବଢ଼ାଇଲାଣି ଆଉ ଏକ ନୂଆ ସଂକ୍ରମଣ- ବ୍ଲାକ୍ ଫଙ୍ଗସ୍। ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନଫେକ୍‌ସନ୍‌, ଏବେ ଗୁଜୁରାଟ ସମେତ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ପାଖରେ ଏହା ଦେଖାଦେଉଛି। ଯଦିଓ ଓଡ଼ିଶାରେ ଏହା କୌଣସି କରୋନା ଆରୋଗ୍ୟଙ୍କଠାରେ ଦେଖାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇନାହିଁ, ତଥାପି ଏହା କାହିଁକି ହୁଏ, କେଉଁମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ଅଧିକ, ଏହାର ଲକ୍ଷଣ କଣ ଓ କେମିତି ଏଥିରୁ ବର୍ତ୍ତିବେ? ଜାଣି ରଖନ୍ତୁ….

କରୋନାରୁ ସୁସ୍ଥ ହେବା ପରେ ବି, ଚିନ୍ତା ବଢ଼ାଉଛି ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋର୍ମାଇକୋସିସ୍। କରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦରୋଗ ଓ କିଡ୍ନୀ ସମସ୍ୟା ଥିବା ବ୍ୟକ୍ତି ସାବଧାନ ରୁହନ୍ତୁ । କାରଣ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଏଭଳି ଲୋକଙ୍କୁ, ସହଜରେ ଆକ୍ରମଣ କରୁଛି। ବ୍ଲାକ୍ ଫଙ୍ଗସ୍ ପ୍ରାଥମିକ ଅବସ୍ଥାରୁ ଚିକିତ୍ସା ନକରାଇଲେ, ନାକ, ଆଖି, ମାଢ଼ି ହାଡ଼, ଏପରିକି ଫୁସଫୁସ୍‌ ଓ ମସ୍ତିଷ୍କକୁ ନଷ୍ଟ କରିଦେବା ସହ, ଜୀବନ ବି ନେଇଯାଉଛି ଏହି ଫଙ୍ଗାଲ୍ ଇନଫେକସନ୍‌। ଯଦିଓ ଏହା କିଛି ନୂଆ ରୋଗ ନୁହେଁ, ତଥାପି କରୋନା କାଳରେ ବହୁଗୁଣ ବଢ଼ିଯାଇଛି ଏହାର ପ୍ରାଦୁର୍ଭାବ।

ବିଶେଷଜ୍ଞଙ୍କ କହିବା କଥା, କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମାତ୍ରାଧିକ ଓ ଦୀର୍ଘ ଦିନ ଯାଏଁ ଷ୍ଟିରଏଡ୍, ଆଣ୍ଟି ବାଓଟିକ୍ ଔଷଧ ଆଦି ଦିଆଗଲେ, ସେ କରୋନାରୁ ସୁସ୍ଥ ହୋଇଯାଉଥିଲେ ମଧ୍ୟ ଏଭଳି ଫଙ୍ଗାଲ୍ ଇନଫେକସନ୍‌ ହେବାର ଆଶଙ୍କା ବଢ଼ିଯାଏ। ଖାସ୍ କରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ଏହି ସଂକ୍ରମଣ ହେବାର ଦେଖାଦେଉଛି। ବ୍ଲାକ୍ ଫଙ୍ଗସ୍ ବା ମ୍ୟୁୟୁର୍ମାଇକୋସିସ୍ ସଂକ୍ରମଣ ହେଲେ, ନାକରୁ କଳା ରଙ୍ଗର ପାଣି ବାହାରେ, ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ଚାରି ପଟେ ବିନ୍ଧେ, ପାଟି ଭିତରେ ଯନ୍ତ୍ରଣା ହୁଏ ଏବଂ କେତେଜଣଙ୍କ ପାଟି ଭିତରେ କଳା ଦାଗ ଦେଖାଯାଏ।

ବ୍ଲାକ୍ ଫଙ୍ଗସ୍ ଏକ ମାରାତ୍ମକ ରୋଗ ହେଲେ ମଧ୍ୟ, ଦୁରାରୋଗ୍ୟ ନୁହେଁ। ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା ସମ୍ଭବ। ତେଣୁ ପ୍ରାଥମିକ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଯେତିକି ଜରୁରୀ, ତା ଠୁ ଅଧିକ ଜରୁରୀ, ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରୁ ବର୍ତ୍ତିବାର ଉପାୟ ଜାଣିବା। ଏଥିରୁ ରକ୍ଷା ପାଇବା ପାଇଁ ଉଭୟ କରୋନା ରୋଗୀ ଓ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସତର୍କ ହେବା ଉଚିତ। କରୋନା ରୋଗୀଙ୍କୁ ଡାକ୍ତରମାନେ ଆବଶ୍ୟକତା ପୂର୍ବରୁ ଏବଂ ମାତ୍ରାଧିକ ଷ୍ଟିରଏଡ୍ ଦେବା ଅନୁଚିତ ଏବଂ ରୋଗୀଙ୍କୁ ଅକ୍ସିଜେନ୍ ଲଗାଇବା ବେଳେ ମାସ୍କ ଓ ପାଇପକୁ ଭଲଭାବେ ସାନିଟାଇଜ୍ କରିବା ଉଚିତ ବୋଲି ବିଶେଷଜ୍ଞ କହିଛନ୍ତି।

ଏଥିସହ କରୋନାରୁ ସୁସ୍ଥ ହେଉଥିବା ଡାଇବେଟିସ୍ ରୋଗୀ ନିଜ ସୁଗାର୍ ଲେଭେଲ୍ ବା ଶର୍କରା ମାତ୍ରା ନିୟନ୍ତ୍ରଣରେ ରଖିବା ନିହାତି ଆବଶ୍ୟକ। ଏହି ସଂକ୍ରମଣ ନାକ ପଟେ ଶରୀରରେ ପଶୁଥିବାରୁ ଭଲଭାବେ ମାସ୍କ ଲଗାନ୍ତୁ, ବାହାରକୁ ଗଲେ ଫୁଲସାର୍ଟ, ଫୁଲପ୍ୟାଂଟ୍‌ ଓ ଜୋତା ପିନ୍ଧନ୍ତୁ। ମାଟିରେ ମଧ୍ୟ ଏହି ଫଙ୍ଗସ୍ ରହୁଥିବାରୁ, ମାଟିରୁ ଦୂରେଇ ରୁହନ୍ତୁ ଏବଂ ବଗିଚା କାମ ବେଳେ ଗ୍ଲୋଭ୍ସ ଓ ଗନ୍ ବୁଟ୍ ଆଦି ପିନ୍ଧନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଦିଲ୍ଲୀ, ଗୁଜରାଟ ଓ ମହାରାଷ୍ଟ୍ରରେ କୋଭିଡରୁ ସୁସ୍ଥ ହୋଇ, କିଛି ଲୋକ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହେବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଓଡ଼ିଶାରେ ଜଣେ ରୋଗୀ ଏହି ରୋଗରେ ପୀଡ଼ିତ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

Other Stories