ଆଗକୁ ହେବ କି ଏକକ ନିର୍ବାଚନ?

ଭୁବନେଶ୍ୱର: ଓ୍ୱାନ୍ ନେସନ୍, ଓ୍ୱାନ୍ ଇଲେକ୍ସନକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏକକ ନିର୍ବାଚନ ନେଇ ଜୋରଦାର  ଆଲୋଚନା ହେଉଥିବା ବେଳେ ଏନେଇ ରୋଡ୍ ମ୍ୟାପ ପ୍ରସ୍ତୁତ କରୁଛି ବିଜେପି। ଏକକ ନିର୍ବାଚନ ଓ ଏକକ ଭୋଟର୍ ତାଲିକା ଉପରେ ଗୁରୁତ୍ୱ ଦେଇ ଏହାର ଫାଇଦା ସମ୍ପର୍କରେ ଯୁକ୍ତି ବାଢୁଛି ଦଳ। ତେବେ ସବୁ ରାଜନୈତିକ ଦଳ ଏଥିରେ ରାଜି ହେବେ କି ନାହିଁ ସନେଇ ପ୍ରଶ୍ନ ଉଠିଲାଣି।

କିଛି ଦିନ ତଳେ ୮୦ତମ ସର୍ବଭାରତୀୟ ପ୍ରିଜାଇଡ଼ିଂ ଅଫିସର୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଓ୍ୱାନ୍ ନେସନ୍, ଓ୍ୱାନ୍ ଇଲେକ୍ସନ ଉପରେ ଅଭିଭାଷଣ ରଖିଥିଲେ। କେନ୍ଦ୍ର ସରକାର ଏବେ ଏହି ଦିଗରେ ସାରାଦେଶରେ ବିଚାର ବିମର୍ଶ ଆରମ୍ଭ କରିଛନ୍ତି। ଆଜି ବିଜେପି ପକ୍ଷରୁ ଏସମ୍ପର୍କିତ ଏକ ୱେବିନାରର ଆୟୋଜନ କରାଯାଇ ଆଲୋଚନା କରାଯାଇଛି ଯୁକ୍ତି ରଖାଯାଇଛି।

ଓ୍ୱାନ୍ ନେସନ୍, ଓ୍ୱାନ୍ ଇଲେକ୍ସନ ଲାଗୁ ହେଲେ ଖର୍ଚ୍ଚ, ସମୟ, ମାନବ ସମ୍ବଳ କମିବ ଓ ଜି଼ଡିପିରେ ସୁଧାର ଆସିବ ବୋଲି ବିଜେପି କହୁଛି। ବାରମ୍ବାର ନିର୍ବାଚନ ଯୋଗୁଁ ଆଦର୍ଶ ଆଚରଣ ବିଧି ଲାଗୁ ପାଇଁ ଉନ୍ନତିମୂଳକ କାମ ଅଟକିବନି। ଏପରିକି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ପଡୁଥିବା ଅତିରିକ୍ତ ବୋଝ ବି କମିବ ବୋଲି ବିଜେପି କହିଛି।

ପ୍ରତିବର୍ଷ ପ୍ରାୟ ୫ରୁ ୭ଟି ନିର୍ବାଚନ ଦେଶରେ ଅନୁଷ୍ଠିତ ହେଉଥିବାରୁ ହିଂସାକାଣ୍ଡ, ଜାତିଆଣ ବୈଷମ୍ୟତା ଅଧିକ ଦେଖାଦେଇଥାଏ। ଯାହାକି ହ୍ରାସ ପାଇବ। ସବୁଠୁ ବଡ଼ କଥା ହେଲେ ପୋଲିସ୍ ଓ ପ୍ରଶାସନ ଉପରୁ ଚାପ ବି ହଟିବ ବୋଲି ବିଜେପି କହିଛି।

ଏନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ୱାନ୍‌ ନେସନ୍‌ ୱାନ୍ ଇଲେକ୍ସନ ହେଲେ ଅନେକ ଖର୍ଚ୍ଚ କମ୍‌ ହୋଇଯିବା ସହିତ ସମୟ ଓ ସାଧନର ବି ସଂରକ୍ଷଣ ହୋଇପାରିବ। ତେବେ ଏନେଇ ଅଧିକ ଚିନ୍ତନର ଆବଶ୍ୟକତା ରହିଛି ବୋଲି କହିଛି ବିଜେଡି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ ଏଥିରେ ମୌଳିକ ପ୍ରତିବନ୍ଧକ ଓ ବିଭିନ୍ନ ପ୍ରକାରର ସମ୍ବଳ ଓ ସାଂସ୍କୃତିକ ବିବିଧତା ରହିଛି। ତେଣୁ ଏଥିରେ ଅଧିକ ଚିନ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଆଞ୍ଚଳକି ଦଳମାନଙ୍କୁ ଖର୍ବ କରିବା ପାଇଁ ଏହା ଏକ ଯୋଜନା ବୋଲି କହିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି।  

ନିର୍ବାଚନ ଇତିହାସ

ଦେଶରେ ପୂର୍ବରୁ ଏକକ ନିର୍ବାଚନ ହେଉଥିଲା। କିନ୍ତୁ ପରେ ସମସ୍ୟା ବିଭିନ୍ନ ସମସ୍ୟା ଦେଖାଦେବାରୁ ପର୍ଯ୍ୟାୟକ୍ରମେ ତାହା ବଦଳି ଯାଇଥିଲା। ଭାରତର ନିର୍ବାଚନ ଇତିହାସକୁ ଦେଖିଲେ ୧୯୫୨ ରୁ ୧୯୬୭ ଯାଏ ଦେଶରେ ଏକକ ନିର୍ବାଚନ ଅନୁଷ୍ଠିତ ହେଉଥିଲା। ଏହାପରେ ଅସଙ୍ଗତି ଦେଖାଦେଇଥିଲା। ୧୯୮୩ ଓ ୧୯୯୯ରେ ଏକକ ନିର୍ବାଚନ ଲାଗି ବିଚାର ବିମର୍ଶ ହୋଇଥିଲେ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନଥିଲା।

ଏବେ ପୁଣିଥରେ ଏକକ ନିର୍ବାଚନ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ କେନ୍ଦ୍ର ସରକାରଙ୍କ ଏଭଳି ଯୋଜନାକୁ ଆଞ୍ଚଳିକ ଦଳଗୁଡ଼ିକ ବିଶ୍ୱାସକୁ ନନେଇ ପାରନ୍ତି। ଦେଶରେ ପ୍ରାଧାନ୍ୟ ବିସ୍ତାର କରିଥିବା ଆଞ୍ଚଳିକ ଦଳଗୁଡ଼ିକର ବିଶ୍ୱାସ ଭାଜନ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ କେ.ରବି କହିଛନ୍ତି।

ଏନେଇ ସେ କହିଛନ୍ତି ଯେ ଆଞ୍ଚଳିକ ଦଳର ସ୍ଥିତି କଣ ହେବ ? ଯଦି ୱାନ୍‌ ନେସନ୍‌ ୱାନ ଇଲେକ୍ସନ୍ ବ୍ୟବସ୍ଥା ହୁଏ ତେବେ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ କିପରି ନିର୍ବାଚନ ଲଢ଼ିବେ ସେ ନେଇ କେନ୍ଦ୍ର ସରକାର ବିଶ୍ୱାସ ଜନ୍ମାଇ ପାରିବା ଦରକାର ବୋଲି କେ ରବି କୁମାର କହିଛନ୍ତି। ତେବେ ଦେଶରେ ଏହି ଯୁଗାନ୍ତକାରୀ ପରିବର୍ତ୍ତନ କିଭଳି ଆସିପାରୁଛି, ତାହା ଦେଖିବା ବାକି ରହିଲା।

You might also like